fbpx

Nighty ପିନ୍ଧି ବାହାରକୁ ଆସି ପାରିବେନି ମହିଳା: ପୁରୁଷଙ୍କ ଲୁଙ୍ଗି ପିନ୍ଧିବା ଉପରେ ବି କଟକଣା

Advertisement

ନୂଆଦିଲ୍ଲୀ: ବେଳେ ବେଳେ ବିଭିନ୍ନ ସମାଜ ପକ୍ଷରୁ ଅଜବ ନିୟମ ସବୁ ଲାଗୁ କରାଯାଏ । ଏହିପରି ଏକ ନିୟମ ଏବେ ଲାଗୁ କରାଯାଇଛି ଗ୍ରେଟର ନୋଏଡାରେ । ଗ୍ରେଟର ନୋଏଡା ସ୍ଥିତ ହିମସାଗର ଆପାର୍ଟମେଣ୍ଟ ସୋସାଇଟି ପକ୍ଷରୁ ସେଠାରେ ବାସ କରୁଥିବା ସମସ୍ତ ଅଧିବାସୀଙ୍କୁ ଏକ ନୋଟିସ୍ ଦିଆଯାଇଛି । ଏହି ନୋଟିସରେ ଉଲ୍ଲେଖ ରହିଛି କେହି ପୁରୁଷ ଲୁଙ୍ଗି ପିନ୍ଧି କିମ୍ବା ମହିଳା ନାଇଟ୍ ପିନ୍ଧି ବାହାରକୁ ଆସିପାରିବେ ନାହିଁ । ତେବେ ଏହି ଆଦେଶ ପରେ ସୋସାଇଟିରେ ବିରୋଧର ସ୍ୱର ଉଠିଛି । ଏବେ ଏହି ଆଦେଶପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ସୋସାଇଟିରେ ବର୍ଡର ରୋଡ୍ ଅର୍ଗାନାଇଜେସନରୁ ଅବସର ନେଇଥିବା ଓ ବର୍ତ୍ତମାନ ସେବାରତ ଲୋକମାନେ ରହୁଛନ୍ତି । ସୋସାଇଟିର ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଏହି ଅଞ୍ଚଳରେ ବୁଲାବୁଲି କରିବା ସମୟରେ ସମସ୍ତେ ସେମାନଙ୍କ ଆଚରଣ ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ପୁରୁଷମାନେ ଘରେ ପିନ୍ଧୁଥିବା ଲୁଙ୍ଗି ଓ ମହିଳାମାନେ ପିନ୍ଦୁଥିବା ନାଇଟ୍ ପିନ୍ଧି ବାହାରକୁ ନ ଆସିବାକୁ । ସୋସାଇଟିର ପଦାଧିକାରୀ କହିଛନ୍ତି କେତେକ ମହିଳାଙ୍କ ଠାରୁ ଏ ନେଇ ଲଗାତର ଅଭିଯୋଗ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ସୋସାଇଟିର ଆରଡବ୍ଲ୍ୟୁଏ ଅଧ୍ୟକ୍ଷ ପି.କେ. କାଲରା କହିଛନ୍ତି, ବାରମ୍ବାର ଅଭିଯୋଗ ଆସୁଛି ଯେ, ଲୋକମାନେ ଘର ଭିତରେ ଯାହା ପିନ୍ଧୁଛନ୍ତି ବାହାରକୁ ମଧ୍ୟ ତାହା ହିଁ ପିନ୍ଧି ବାହାରୁଛନ୍ତି । ଏହାଦ୍ୱାରା ଏକ ଖରାପ ବାତାବରଣ ସୃଷ୍ଟି ହେଉଛି । ତେଣୁ ଲୋକଙ୍କୁ ଏପରି ଅଭ୍ୟାସ ବଦଳାଇବାକୁ ଅନୁରୋଧ କରାଯାଇଛି । କାହା ଉପରେ ଚାପ ପକା ଯାଇନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟରେ ପ୍ରାୟ ୩୦୦୦ ପରିବାର ରହୁଛନ୍ତି । ସୋସାଇଟି ପକ୍ଷରୁ ଜାରି ନୋଟିସ୍ରେ ଲେଖାଯାଇଛି , ଆପଣମାନେ ନିଜ ଆଚରଣ ଓ ପୋଷାକ ଉପରେ ବିଶେଷ ଧ୍ୟାନ ରଖିବାକୁ ଅନୁରୋଧ । ଏହାଦ୍ୱାରା ଆପଣଙ୍କ ବ୍ୟବହାର ଉପରେ କେହି ଟିପ୍ପଣୀ କରିବେ ନାହିଁ । ଆପଣମାନଙ୍କ ଠାରୁ ଆପଣଙ୍କ ପିଲାମାନେ ବି ଭଲ ଆଚରଣ ଶିଖିବେ ।

Get real time updates directly on you device, subscribe now.