fbpx

୫୦୦ ବର୍ଷ ପୁରୁଣା ଏସିଆର ସର୍ବବୃହତ ବଜାର: କେବଳ ମହିଳା ବିକି ପାରିବେ ଜିନିଷ

ନୂଆଦିଲ୍ଲୀ: ବ୍ୟବସାୟକୁ ସର୍ବଦା ପୁରୁଷ ପ୍ରାଧାନ୍ୟ ଜିନିଷ ଭାବରେ ବିବେଚନା କରାଯାଏ । ମାତ୍ର ଭାରତରେ ଏମିତି ଏକ ବଜାର ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଦ୍ୱାରା ପରିଚାଳିତ । ୫୦୦ ବର୍ଷର ପୁରୁଣା ଏମିତି ଏକ ବଜାର ରହିଛି ମଣିପୁରରେ । ମଣିପୁରରେ ଅବସ୍ଥାପିତ ଏହି ବଜାରଟିକୁ ମହିଳାଙ୍କ ଦ୍ୱାରା ପରିଚାଳିତ ଏସିଆର ସର୍ବବୃହତ ବଜାରର ମାନ୍ୟତା ମଧ୍ୟ ମିଳି ସାରିଛି । ମୀରାବାଇ ଚାନୁଙ୍କ ଅଲିମ୍ପିକ ରୌପ୍ୟ ପଦକ ପରେ ସମଗ୍ର ଦେଶର ଧ୍ୟାନ ବର୍ତ୍ତମାନ ମଣିପୁର ଉପରେ । ଏଭଳି ପରସ୍ଥିତିରେ ୫୦୦ ବର୍ଷ ପୁରୁଣା ବଜାର ସମ୍ପର୍କରେ ଜାଣିବାର ସୁଯୋଗ ସମଗ୍ର ଦେଶବାସୀଙ୍କୁ ମିଳିଛି ।

ମଣିପୁରର ରାଜଧାନୀ ଇମ୍ଫାଲରେ ରହିଛି ଏହି ମହିଳା ବଜାର । ପ୍ରାୟ ୫ରୁ ୬ ହଜାର ମହିଳା ଦୈନିକ ଏହି ବଜାରରେ ବିକ୍ରିବଟା କରିଥାନ୍ତି । ଏହି ବଜାରର ସମସ୍ତ କାମ ମହିଳାଙ୍କ ଦ୍ୱାରା ହିଁ ହୋଇଥାଏ । ଏପରିକି ଏହି ବଜାରର ସମସ୍ତ ପ୍ରଶାସନିକ ନିଷ୍ପତ୍ତି ପାଇଁ ମଧ୍ୟ ମହିଳାଙ୍କର ଏକ କମିଟି ରହିଛି । ଏହି ବଜାରଟି ଏକଦା ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ପୁନର୍ବାର ଚଳଚଞ୍ଚଳ ହୋଇ ଉଠିଛି ।

ମଦର୍ସ ମାର୍କେଟ ନାମରେ ପରିଚିତ ଏହି ବଜାରଟିକୁ ଖେରବନ୍ଦ ବଜାର ବା ନୁପି କଇଥଲ ମଧ୍ୟ କୁହାଯାଏ । ଏହି ବଜାରରେ ଶତାଧିକ ମହିଳା ବର୍ଷ ବର୍ଷ ଧରି ବ୍ୟବସାୟ କରୁଛନ୍ତି । ଏହି ବଜାରରେ ହସ୍ତଶିଳ୍ପ, ଖେଳଣା, କପଡା, ଖାଦ୍ୟ, ମସଲା ପରିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରକରଣା ଜିନିଷ ମିଳିଥାଏ । ପୂର୍ବରୁ ଏହି ବଜାର ରାସ୍ତା କଡରେ ରହିଥିବା ଶେଡରେ ହେଉଥିବା ବେଳେ ବର୍ତ୍ତମାନ ଏକ ୪ ମହଲା କୋଠାରେ ଏହି ବଜାର ବସୁଛି ।
ଏହି ଅଞ୍ଚଳରେ ମହିଳା ମାନେ ବ୍ୟବସାୟରେ ଅଧିକ ଜଡିତ । ଦୀର୍ଘ ସମୟ ଧରି ପୁରୁଷ ମାନେ ଚୀନ୍ ଓ ବର୍ମା ସହିତ ଯୁଦ୍ଧ କରୁଥିବା ବେଳେ ମହିଳା ମାନେ ବ୍ୟବସାୟର ଦାୟିତ୍ୱ ନେଇଥିଲେ । କାଳକ୍ରମେ ଏହା ଏକ ପରମ୍ପରାରେ ପରିଣତ ହୋଇଛି । ଏହା ସହିତ ଏହି ବଜାର ସର୍ବଦା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ରହିଥାଏ ।

Get real time updates directly on you device, subscribe now.