fbpx

ଭାରତରେ ଖେଳାଯିବନି ମହିଳା ଟି-୨୦ ବିଶ୍ୱକପ: ଅନୁରୋଧ କରିଥିଲା ବାଂଲାଦେଶ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖାଦେଇଛି । ବାଂଲାଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱକପ୍ କିପରି ଖେଳାଯିବ, ସେ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଲାଗି ରହିଛି । ତେବେଏହା ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ମନା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏ ନେଇ ବିସିସିଆଇ ସଚିବ ଜୟ ଶାହ ଘୋଷଣା କରିଛନ୍ତି । ଦେଶର ପରିସ୍ଥିତିକୁ ନଜରରେ ରଖି ବାଂଲାଦେଶ ଭାରତକୁ ବିଶ୍ୱକପ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲା । ଏହାକୁ ଖାରଜ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ବାଂଲାଦେଶରେ ବର୍ତ୍ତମାନ ସ୍ଥିତି ସାଂଘାତିକ ରହିଛି । ତେବେ ଏହା ଭିତରେ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି । ତେଣୁ ବାଂଲାଦେଶ ଭାରତକୁ ଏହାର ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲା । ଏ ନେଇ ଜୟ ଶାହ କହିଛନ୍ତି ଯେ, “ବାଂଲାଦେଶ ତରଫରୁ ଆସିଥିବା ଟି-୨୦ ବିଶ୍ୱକପ୍ ଆୟୋଜନ ପ୍ରସ୍ତାବକୁ ବିସିସିଆଇ ଖାରଜ କରିଛି । କାରଣ ଆସନ୍ତାବର୍ଷ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ କରାଯିବ । ତେଣୁ ଲଗାତାର ୨ ବର୍ଷ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତ ଇଚ୍ଛା ପ୍ରକାଶ କରୁନାହିଁ ।” ବର୍ତ୍ତମାନ ବାଂଲାଦେଶରେ ଚାଲିଥିବା ଅଶାନ୍ତିକୁ ଦୃଷ୍ଟି ରଖି ଏଠାରେ ବିଶ୍ୱକପ୍ ଆୟୋଜନକୁ ଏବେ ଆଶଙ୍କାର କଳାବାଦଲ ଘେରି ରହିଛି ।

ତେବେ ବାଂଲାଦେଶରେ ବଢୁଥିବା ହିଂସା ଯୋଗୁଁ ଟି-୨୦ ବିଶ୍ୱକପ୍ ସିଫ୍ଟ ହେବା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏହି ତାଲିକାରେ ଭାରତ, ଶ୍ରୀଲଙ୍କା ଏବଂ ୟୁଏଇ ସାମିଲ ରହିଥିଲେ । ତେବେ ବାଂଲାଦେଶର ପ୍ରଥମ ବିକଳ୍ପ ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ମନା କରିଛି । ତେବେ ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି । ତେଣୁ ବର୍ତ୍ତମାନ ବାଂଲାଦେଶରେ ମହିଳା ବିଶ୍ୱକପ ଆୟୋଜନ ହୋଇ ନ ପାରିଲେ, ଏହା ୟୁଏଇରେ ହୋଇପାରେ ବୋଲି କୁହାଯାଉଛି । ଏ ନେଇ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ମିଳିପାରିବ ।

Get real time updates directly on you device, subscribe now.