fbpx

ଭିସା ପାଇଁ ରିଜିଜୁ ଓ ମୋଦିଙ୍କୁ ଅନୁରୋଧ କଲେ ମହିଳା ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେନିସ ଖେଳାଳି ରିୟା ଭାଟିଆ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୨୩ ବର୍ଷୀୟ ରିୟା ନିଜର ଆମେରିକା ଭିସା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି । ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ରିୟା ଲେଖିଛନ୍ତି, ‘ମୁଁ ବର୍ତ୍ତମାନ ଭାରତର ଦ୍ୱିତୀୟ ଶ୍ରେଷ୍ଠ ସିଙ୍ଗଲ୍ସ ଟେନିସ୍ ଖେଳାଳି । ୨୬ ଜୁଲାଇରୁ ଆମେରିକାରେ ହେବାକୁ ଥିବା ଡବ୍ଲ୍ୟୁଟିଏ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୋ ନିକଟରେ ସୁଯୋଗ ରହିଛି । ମାତ୍ର ଜରୁରୀ କାଳୀନ ଆମେରିକୀୟ ଭିସା ପାଇଁ ମୋତେ ସାକ୍ଷାତକାରର ସମୟ ମିଳୁନାହିଁ । ଦୟାକରି ଏହି ସମସ୍ୟାର ସମାଧାନ କରନ୍ତୁ ।
ଏହାର ଉତ୍ତର ଦେବାକୁ ଯାଇ ରିଜିଜୁ ଲେଖିଛନ୍ତି ‘ମୁଁ ଏହି ଘଟଣାକୁ ଦେଖୁଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯିବ’ । ରିୟା ଭାଟିଆ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ରାଙ୍କିଙ୍ଗରେ ୩୩୮ ଏବଂ ଡବଲ୍ସରେ ୩୮୭ ତମ ସ୍ଥାନରେ ରହିଛନ୍ତି । ଏହା ସହିତ ସେ ନିଜ କ୍ୟାରିୟରରେ ୩ଟି ଲେଖାଏଁ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.