fbpx

ଖୋଲିଲା ଗୁମର! ଅନୀତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ, ବାହାଘର ପରେ ବି ରଖୁଥିଲା ଶାରୀରିକ ସମ୍ପର୍କ

ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏହି ମାମଲାରେ ମୃତ ଯୁବତୀଙ୍କ ସହକର୍ମୀ ଯନ୍ତ୍ରୀକୁ ଗିରଫ କରିଛି ପୋଲିସ । ଅଭିଯୋଗ ହୋଇଛି ଯେ, ପୁରୁଷ ସହକର୍ମୀ ଜଣକ ବାହାହୋଇ ମଧ୍ୟ ମହିଳା ଯନ୍ତ୍ରୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ସହ ହ୍ୱାଟ୍ସଆପରେ ଚାଟ୍ କରୁଥିଲେ । ଏଥିରେ ମହିଳା ଜଣକ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ।

ମିଳିଥିବା ଖବର ମୁତାବକ, ଗତମାସ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ମହିଳା ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବତୀଙ୍କ ନାଁ ଜେ. ଅନୀତା ହୋଇଥିବା ବେଳେ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଭାବେ କାମ କରୁଥିଲେ । ଅଚାନକ୍ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ପରେ ସମସ୍ତେ ଭୟଭୀତ ହୋଇପଡିଥିଲେ । ପରେ ଜଣାପଡିଥିଲା ଯେ, ଅନୀତା ବେଶ କିଛି ଦିନରୁ ମାନସିକ ଚାପରେ ଥିଲେ, ଯାହାର କାରଣ ତାଙ୍କ ପୁରୁଷ ସହକର୍ମୀ ଯନ୍ତ୍ରୀ ଥିଲେ । ଏନେଇ ପ୍ରମାଣ ମିଳିବା ପରେ ଅନୀତାଙ୍କ ଭଉଣୀ ପୁରୁଷ ସହକର୍ମୀଙ୍କ ନାଁରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଖୋଳତାଡ଼ କରିବା ପରେ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।

ତେବେ ଅନୀତାଙ୍କ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ ଓ ଭିଡିଓରେ ମୃତ୍ୟୁର କାରଣ ଓ ପ୍ରମାଣ ଛାଡିଦେଇଥିଲେ । ଭିଡିଓ ଅନୁସାରେ ତାଙ୍କ ପୁରୁଷ ସହକର୍ମୀ ଅନୀତାଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ । ପୁରୁଷ ଯନ୍ତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲା ରାଜବ୍ରହ୍ମପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ସେ ମାର୍ଚ୍ଚରେ ବିବାହ କରିଥିଲେ ବି ଅନୀତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କେବଳ ଏତିକି ନୁହେଁ, ସେ ଅନୀତାଙ୍କ ସହ ହ୍ୱାଟ୍ସଆପରେ ଚାଟ୍ କରୁଥିଲେ । ଘଟଣାକୁ ନେଇ ମାନସିକ ଚାପରେ ରହୁଥିବା ଅନୀତା ଶେଷରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ । ପ୍ରମାଣକୁ ଆଧାର କରି ପୋଲିସ ପୁରୁଷ ସହକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.