fbpx

ଏସୀୟ କ୍ରୀଡାରେ ଜିତିଥିଲେ ସ୍ଵର୍ଣ୍ଣ, ଏବେ ଅଲିମ୍ପିକ୍ସରେ ଆଶା, ଜାଣନ୍ତୁ ସେନାର ଏହି ଅଫିସରଙ୍କ ପୁରା କ୍ୟାରିୟର

ଭୁବନେଶ୍ଵର : ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ ଯୋଗ୍ୟତା  ପର୍ଯ୍ୟାୟ ରାଉଣ୍ଡରେ ଭାରତର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଇତିହାସ ରଚିଥିଲେ। ସେ ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟରର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ଏହି ପ୍ରତିଯୋଗିତାର ଫାଇନାଲ୍ ମୁକାବିଲା ଖେଳାଯିବ। ସମସ୍ତଙ୍କ ନଜର ଏବେ ନୀରଜ ଚୋପ୍ରାଙ୍କ ଉପରେ ରହିଛି। ସମସ୍ତେ ଏହି ଆଶା କରୁଛନ୍ତି ଯେ, ଯେଉଁଭଳି ନୀରଜ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଦର୍ଶନ କରିଥିଲେ ଠିକ୍ ସେହି ଭଳି ପ୍ରଦର୍ଶନ କରି ଭାରତକୁ ସ୍ଵର୍ଣ୍ଣ ପଦକ ଜିତାନ୍ତୁ। ଜାଭେଲିନ ଫିଙ୍ଗାରେ ପୂର୍ବରୁ ହିଁ ନୀରଜଙ୍କୁ ପଦକର ବିଜେତା ମାନା ଯାଉଛି। ଯଦି କୌଣସି ଅଘଟଣ ନଘଟେ ତେବେ ଆଜି ଦେଶ ପାଇଁ ଏକ ପଦକ ସୁନିଶ୍ଚିତ। ଫାଇନାଲରେ ଆଠ ଜଣ ଖେଳାଳି ପଦକ ପାଇଁ ଲଢିବେ। ନୀରଜ ନିଜର ଦମଦାର ପ୍ରଦର୍ଶନରେ ସମଗ୍ର ଦୁନିଆରେ ପ୍ରଶଂସା ସାଉଁଟିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର ବିଷୟରେ…

ସବୁଠୁ ବଡ କଥା ନୀରଜ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୨୦୧୭ର ବିଶ୍ଵ ଚାମ୍ପିଅନ ଜୋହାନେସ ଓ୍ଵେଟରଙ୍କୁ ହରାଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଜୋହାନେସ ହେଉଛନ୍ତି ସେହି  ଆଥଲେଟ୍ ଯିଏ କହିଥିଲେ ଯେ, ତାଙ୍କୁ ହରାଇବା କାହାରି ପାଇଁ ଏତେ ସହଜ ନୁହେଁ। ମାତ୍ର ନୀରଜ ତାଙ୍କୁ ସହଜରେ ମାତ୍ ଦେଇଛନ୍ତି। ନୀରଜଙ୍କ ଫାଇନାଲରେ ପହଞ୍ଚିବା ତାଙ୍କ ପାଇଁ ବହୁତ  ବଡ ଉପଲବ୍ଧି। କାରଣ ଅଲିମ୍ପିକ୍ସ ଇତିହାସରେ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବି ଆଥଲେଟ୍ ଟ୍ରାକ୍ ଆଣ୍ଡ ଫିଲ୍ପ ପ୍ରତିଯୋଗିତାରେ ପଦକ ଜିତି ନାହାନ୍ତି। ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଏହି ମରୁଡିର ଅନ୍ତ ଘଟାଇ ପାରନ୍ତି।

ହରିୟାଣାର ନୀରଜ ଚୋପ୍ରା

ନୀରଜ ଚୋପ୍ରା ହରିୟାଣାର ପାନିପତ ଜିଲ୍ଲାର ଖାନ୍ଦ୍ରା ଗାଁର ବାସିନ୍ଦା। ୧୯୯୭ ଡିସେମ୍ବର ୨୪ରେ ତାଙ୍କର ଜନ୍ମ ଏକ ଚାଷୀ ପରିବାରରେ ହୋଇଥିଲା। ସେ ଚଣ୍ଡିଗଡରେ ଡିଏଭି କଲେଜରେ ପଢିଛନ୍ତି। ୨୦୧୬ରେ ପୋଲାଣ୍ଡରେ ହୋଇଥିବା ଆଇଏଏଏଫ ଚାମ୍ପିଅନଶିପରେ ୮୬.୪୮ ମିଟର ଦୂର ଫିଙ୍ଗି ନୀରଜ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ସେନାରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।

ନିଜ ରେକର୍ଡ ଭାଙ୍ଗିଲେ ନୀରଜ

୨୦୧୮ରେ ଏସୀୟ କ୍ରୀଡାର ଆୟୋଜନ ଇଣ୍ଡୋନେସିଆର ଜାକାର୍ତ୍ତାରେ ହୋଇଥିଲା। ଏଥିରେ ନୀରଜ ଚୋପ୍ରା ୮୮.୦୬ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିବାରେ ଭାରତର ପ୍ରଥମ ଆଥଲେଟ୍ ଥିଲେ। ଏସୀୟ କ୍ରୀଡାରେ ଜାଭେଲିନ ଫିଙ୍ଗାରେ ଭାରତ ଅଦ୍ୟାବଧି କେବଳ ଦୁଇଟି ପଦକ ଜିତିଛି। ହେଲେ ୨୦୧୮ରେ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଥିବା ନୀରଜ ଆହତ ହୋଇଥିଲେ। ଏହା ପରେ କରୋନା ଭାଇରସ୍  ବିଶ୍ଵ ମହାମାରୀ କାରଣରୁ ଜାଭେଲିନ ଫିଙ୍ଗାର କୌଣସି ପ୍ରତିଯୋଗିତାର ଆୟୋଜନ ହୋଇ ପାରିନଥିଲା। ୨୦୨୧ ଇଣ୍ଡିଆନ ଗ୍ରାଁ ପ୍ରିକ୍ସରେ ନୀରଜ ୮୮.୦୭ ମିଟର ଜାଭେଲିନ ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ। ଜାଭେଲିନ ଫିଙ୍ଗାରେ ନୀରଜଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଛୋଟ ବୟସରୁ ଦେଖାଇଲେ ବାହୁର ଦମ

୨୩ ବର୍ଷୀୟ ନୀରଜ ଆଥଲେଟ୍ ଅଞ୍ଜୁ ବିବି ଜର୍ଜଙ୍କ ପରେ ଦ୍ଵିତୀୟ ଭାରତୀୟ ଆଥଲେଟ ଯିଏ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ୨୦୧୬ରେ ଆଇଏଏଏଫ ବିଶ୍ଵ ୨୦ ବର୍ଷରୁ କମ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ୨୦୧୬ରେ ଦକ୍ଷିଣ ଏସୀୟ କ୍ରୀଡାରେ ୮୨.୨୩ ମିଟର ଦୂର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ। ଏହା ପରେ ୨୦୧୭ରେ ନୀରଜ ୮୫.୨୩ ମିଟର ଫିଙ୍ଗି ଏସୀୟ ଆଥଲେଟିକ୍ସ ଚାମ୍ପିଅନଶିପରେ ସ୍ଵର୍ଣ୍ଣ ପଦକ ଜିତି ପାରିଥିଲେ।

ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ସ୍ଵର୍ଣ୍ଣ ପଦକ

ଏସୀୟ କ୍ରୀଡା ୨୦୧୮ ଜାକାର୍ତ୍ତାରେ ସ୍ଵର୍ଣ୍ଣ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ ଗୋଲ୍ଡ କୋଷ୍ଟ ସ୍ଵର୍ଣ୍ଣ ପଦକ, ଏସୀୟ ଚାମ୍ପିଅନଶିପ ୨୦୧୭ ଭୁବନେଶ୍ଵର ସ୍ଵର୍ଣ୍ଣ ପଦକ, ଦକ୍ଷିଣ ଏସୀୟ କ୍ରୀଡା ଗୌହ୍ଵାଟୀ ୨୦୧୬ରେ ସ୍ଵର୍ଣ୍ଣ ପଦକ, ଓ୍ଵାର୍ଲ୍ଡ ଜୁନିୟର ଚାମ୍ପିଅନଶିପ ୨୦୧୬  ସ୍ଵର୍ଣ୍ଣ ପଦକ, ଏସୀୟ ଜୁନିୟର ଚାମ୍ପିଅନଶିପ ୨୦୧୬  ରୌପ୍ୟ ପଦକ ଜିତିଥିଲେ।

Get real time updates directly on you device, subscribe now.