fbpx

ଚୀନରେ ଦୁନିଆର ସବୁଠୁ ବଡ ଆଇଫୋନ ଫ୍ୟାକ୍ଟ୍ରିରେ ସଂଘର୍ଷ, କମ୍ପାନିରୁ ଫେରାର ମାରିଲେ ଅନେକ କର୍ମଚାରୀ

ନୂଆଦିଲ୍ଲୀ: ଚୀନର ଝୌଙ୍ଗଝାଉ ସହର ସ୍ଥିତ ଦୁନିଆର ସବୁଠୁ ବଡ ଆଇଫୋନ ଫ୍ୟାକ୍ଟ୍ରି ବାହାରେ ବୁଧବାର ଖୁବ୍ ହଙ୍ଗାମା ହୋଇଛି। ଅନେକ ସପ୍ତାହ ଧରି କରୋନା କଟକଣାର ସାମ୍ନା କରିଥିବା ଫ୍ୟାକ୍ଟ୍ରିର ଅନେକ କର୍ମଚାରୀ ବୁଧବାର ବ୍ୟାରିକେଡ୍ସ ଭାଙ୍ଗି ପରିସରରୁ ଫେରାର ମାରିଛନ୍ତି। ଏହା ମଧ୍ୟରେ ଫ୍ୟାକ୍ଟ୍ରିରେ ମୁତୟନ ସୁରକ୍ଷାକର୍ମୀ ଏବଂ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି। ପରିସରରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା କର୍ମଚାରୀଙ୍କୁ ମାଡ ମରାଯାଇଥିବା ବେଳେ ଆଉ କିଛି କର୍ମଚାରୀଙ୍କୁ ଅଟକ ରଖାଯାଇଛି।

ଏପଲ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଟେକ୍ନୋଲୋଜି ଗ୍ରୁପ ପ୍ଲାଣ୍ଟର କର୍ମଚାରୀ ଗତ କିଛି ଦିନ ହେବ କରୋନା କଟକଣା ଦେଇ ଗତି କରିଛନ୍ତି। କମ୍ପାନିର ଚତୁଃପାର୍ଶ୍ଵକୁ ସିଲ୍ କରି ଦିଆଯାଇଛି। ତେବେ ବୁଧବାର କର୍ମଚାରୀ କମ୍ପାନି ପରିସରରୁ ପଳାୟନ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ହାତାହାତି ହୋଇଥିବା ସାମ୍ନାକୁ ଆସିଥିବା ଭିଡିଓରୁ ଜଣା ପଡିଛି। କିଛି କର୍ମଚାରୀ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଅନେକ କର୍ମଚାରୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ବୁଧବାର ଅନେକ ଲୋକ ପୋଲିସ କାରକୁ ଘେରି ନେଇଥିଲେ ଏବଂ ଗାଡିକୁ ଧକ୍କା ମାରିଥିଲେ। ଏହି ସମୟରେ ହିଂସାତ୍ମକ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି। ଏହାପରେ ଚୀନ ପୋଲିସକୁ କାରଖାନାର ଆଖପାଖରେ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଫକ୍ସକନ କମ୍ପାନିରେ କରୋନା ସଂକ୍ରମଣ ଭୟରରେ ଅନେକ କଟକଣା ଲଗାଯାଇଛି। ଅଞ୍ଚଳକୁ ସଂପୂର୍ଣ୍ଣ ମାତ୍ରାରେ ସିଲ୍ କରିଦିଆଯାଇଛି। ଏହାକୁ ନେଇ ଅନେକ ବିରୋଧ ଶୁଣିବାକୁ ମିଳିଛି। ମାତ୍ର ପ୍ରଥମ ଥର ହିଂସାତ୍ମକ କାଣ୍ଡ ଦେଖିବାକୁ ମିଳିଛି। କରୋନା କଟକଣା କାରଣରୁ ଫକ୍ସକନ ଟେକ୍ନୋଲୋଜିର କର୍ମଚାରୀ ନିଜର କାର୍ଯ୍ୟସ୍ଥଳରେ ରହୁଥିଲେ ଏବଂ ବାହାର ଦୁନିଆ ସହ ସେମାନଙ୍କର କୌଣସି ସଂପର୍କ ନଥିଲା। ତେବେ ଗତ ମାସରେ ହଜାର ସଂଖ୍ୟକ କର୍ମଚାରୀ କରୋନା ଭାଇରସ୍ ବିରୋଧରେ ସୁରକ୍ଷାର ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇନଥିବା ଅଭିଯୋଗ କରି କାରଖାନା ଛାଡି ପଳାଇ ଯାଇଥିଲେ।

Get real time updates directly on you device, subscribe now.