fbpx

ଓଃ କି ଶାନ୍ତି… ପ୍ରତିଟି ଓଡ଼ିଆର ପରିଚୟ ‘ପଖାଳ’: ଆଜି ସାରା ବିଶ୍ୱରେ ପାଳନ ହେଉଛି ‘ପଖାଳ ଦିବସ’

ଓଡ଼ିଶା ଭାସ୍କର: ଆଜି ମାର୍ଚ୍ଚ ୨୦ ତାରିଖ, ଓଡ଼ିଶା ସଂସ୍କୃତି, ପରମ୍ପରା ଏବଂ ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବଡ଼ ପର୍ବ ‘ପଖାଳ ଦିବସ’ ।

“ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା ।

ସେଇ କଂସାରେ ଢେଉ ଖେଳୁଛି ସବୁ ଓଡ଼ିଆଙ୍କ ଆଶା,
ସେଇ ଆଶାରେ ବୁଣେ ସେ ନୀତି ବାଇ ଚଢେଇ ବସା ।”

ସତରେ, ପଖାଳ କଂସାରେ ହିଁ ପ୍ରତ୍ୟେକ ଓଡ଼ିଆର ମନ ଭରିଯାଏ । ଖରା, ଶୀତ ହେଉ କି ବସନ୍ତ ପଖାଳ ପାଇଁ ସବୁରି ଓଡ଼ିଆ ମନରେ ପଖାଳ ପାଇଁ ଅନେକ ଦୁର୍ବଳତା ଲୁଚି ରହିଛି । ସେଥିପାଇଁ ଏହି ପଖାଳର ସହତ୍ତ୍ୱ ଆଉ ପଖାଳ ପ୍ରେମକୁ ସାରା ବିଶ୍ୱରେ ଆଜି ‘ପଖାଳ ଦିବସ’ ଭାବରେ ପାଳନ କରାଯାଉଛି । ଓଡ଼ିଶା ନିଜ ସଂସ୍କୃତି, ପରମ୍ପରାକୁ ନେଇ ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଓଡ଼ିଶା ସହ ଏହାର ଚାଲିଚଳଣି ପର୍ବପର୍ବାଣୀ ଆଉ ଖାଦ୍ୟପେୟକୁ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ମିଳିଛି । ତେଣୁ ପ୍ରତ୍ୟେକଟି ଓଡ଼ିଆର ପ୍ରିୟର ଖାଦ୍ୟ ‘ପଖାଳ’କୁ ସ୍ୱତନ୍ତ୍ର ସମ୍ମାନ ଦେଇ ପଖାଳ ଦିବସ ପାଳନ କରାଯାଉଛି ।

ଆଜି କେବଳ ଓଡ଼ିଶା କି ଆମ ଦେଶ ନୁହେଁ, ବିଶ୍ୱର ବିଭନ୍ନ ପ୍ରାନ୍ତରେ ପଖାଳର ବାସ୍ନା ମହକି ଉଠିଛି । ପୃଥିବୀର ଯେଉଁ କୋଣରେ ବି ଓଡ଼ିଆ ରହିଛନ୍ତି, ସେଠାରେ ଆଜି ଖାଦ୍ୟରେ ବଢାହୋଇଛି ପଖାଳ କଂସା । ଆଜି ମାର୍ଚ୍ଚ ୨୦ ତାରିଖ, ଓଡ଼ିଶା ସଂସ୍କୃତି, ପରମ୍ପରା ଏବଂ ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବଡ଼ ପର୍ବ ‘ପଖାଳ ଦିବସ’ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ଗୁଡ଼ିକ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ହେଉଛି ପଖାଳ । ପିଲାଠୁ ବୁଢା ସମସ୍ତେ ପଖାଳ ଖାଇବା ପାଇଁ ବେଶ୍ ପସନ୍ଦ କରନ୍ତି । ଧନୀ ହେଉ କି ଗରିବ ପ୍ରତିଟି ଓଡ଼ିଆ ମନରେ ପଖାଳ ପାଇଁ ରହିଛି ଅଜସ୍ର ଭଲ ପାଇବା ଓ ଅନେକ ଦୁର୍ବଳତା । ଓଡ଼ିଆ ଜାତିର ପରିଚୟ ଆଉ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ଗୁଣ୍ଡାଏ ପଖାଳ ସାଙ୍ଗକୁ କଂସାଏ ତୋରାଣିରେ କେତେ ଯେ ଶାନ୍ତି ମିଳେ, ତାହା କେବଳ ଜଣେ ଓଡ଼ିଆ ହିଁ ଅନୁଭବ କରିପାରିବ । ଖାଲି ଓଡ଼ିଶା ନୁହେଁ, ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପାଳୁଛନ୍ତି ‘ବିଶ୍ୱ ପଖାଳ ଦିବସ’ । ଗ୍ରୀଷ୍ମଋତୁକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ ଓଡ଼ିଆ ଜାତିର ସ୍ୱତନ୍ତ୍ର ପର୍ବ ପକାଳ ଦିବସ ।

ପଖାଳ ସାଧାରଣତଃ ବିଭିନ୍ନ ପ୍ରକାରର ହୋଇଥାଏ । ଦହି ପଖାଳ, ସଜ ପଖାଳ, ବାସି ପଖାଳ ଏମିତି ଅନେକ ରୂପରେ ପଖାଳ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ ଲୋକେ । ପଖାଳ ସାଙ୍ଗକୁ ବଡ଼ି ଚୁରା, ଆଳୁ ଚଟଣୀ, ଶାଗ ଭଜା ଆଉ ତା’ ସହ ମାଛଭଜା ପଖାଳ ଖାଇବାର ମଜାକୁ ଆହୁରି ନିଆରା କରିଦିଏ । ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ହୋଟେଲ ମାନଙ୍କରେ ସ୍ବତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ । ବଡବଡ ହୋଟେଲରେ ପଖାଳ ସହ ନାନା ପ୍ରକାରର ବ୍ୟଞ୍ଜନ ସାଙ୍ଗକୁ ବିଭିନ୍ନ ରକମର ପଖାଳ ମିଳିଥାଏ ।

Get real time updates directly on you device, subscribe now.