fbpx
BJD SKY
BJD SKY

ସଞ୍ଚୟକୁ ନିମୟିତ ଅଭ୍ୟାସରେ ପରିଣତ କରିବା ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମିତବ୍ୟୟିତା ଦିବସ

BJD

ସମ୍ବଳର ଉପଯୁକ୍ତ ବିନିଯୋଗ ମାଧ୍ୟମରେ ଲୋକମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ନେଇ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଉଛି । ସଞ୍ଚୟ ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସଞ୍ଚୟ ପାଇଁ ମିତବ୍ୟୟି ହେବା ଏକାନ୍ତ ଆବଶ୍ୟକ । ଏହି କ୍ଷେତ୍ରରେ ସ୍ୱଳ୍ପ ସଞ୍ଚୟ ଜମା ଯୋଜନା ଗୁଡ଼ିକ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ଯଥେଷ୍ଟ ପରିମାଣରେ ଆକର୍ଷଣୀୟ, ସରଳ ଏବଂ ସୁରକ୍ଷିତ ରହିପାରିବ । ମିତବ୍ୟୟି ହେବା, ସଞ୍ଚୟକୁ ନିୟମିତ ଅଭ୍ୟାସରେ ପରିଣତ କରିବା ଏବଂ ନିଜ ନିଜର ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରିବା ଆଜି ଏହି ଦିବସରେ ସମସ୍ତେ ସଂକଳ୍ପ ନେବା ପାଇଁ ଉଚିତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଛନ୍ତି, ଅପବ୍ୟୟ ଓ ଅପଚୟ ଉଭୟ ବ୍ୟକ୍ତି ଓ ରାଜ୍ୟ ପାଇଁ କ୍ଷତିକାରକ । ସେଥିପାଇଁ ପ୍ରତ୍ୟେକ ଲୋକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ କରି ନିୟମିତ ସଞ୍ଚୟ କରି ଅଭ୍ୟାସରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଆହୁରି କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବିଭିନ୍ନ ବ୍ୟାଙ୍କ ଏବଂ ଡାକଘର ମାନଙ୍କରେ ପ୍ରଚଳିତ ସ୍ୱଳ୍ପସଞ୍ଚୟ ଯୋଜନା ଗୁଡ଼ିକ ସୁରକ୍ଷିତ ଅଟେ । ସୁରକ୍ଷିତ ସଞ୍ଚୟକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରଥ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର ପତାକା ଦେଖାଇ ଉଦ୍‍ଘାଟନ କରିଥିଲେ । ସ୍ୱଳ୍ପ ସଞ୍ଚୟ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ ବୋଲି କହିବା ସହିତ ଏହାକୁ ଅଧିକ ଲୋକାଭିମୁଖୀ ଅଭିଯାନରେ ପରିଣତ କରିବାକୁ ଏହି ସଞ୍ଚୟ ରଥ ମାଧ୍ୟମରେ ସଚେତନତା ଲକ୍ଷ୍ୟ ନେଇ ଜିଲ୍ଲା ପରିକ୍ରମା କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.