ତୁର୍କୀ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ଘର ଛାଡ଼ିଲେନି ୩,୫୦୦ ଲୋକ, ୧୭ ମୃତ
୩,୫୦୦ ରୁ ଅଧିକ ଲୋକଙ୍କୁ ଘରୁ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ କରାଯାଇଛି।
ନୂଆଦିଲ୍ଲୀ: ତୁର୍କୀର ଉତ୍ତର-ପଶ୍ଚିମରେ ଥିବା ବୁର୍ସା ସହର ବାହାରେ ଥିବା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଜୁନ୍ ଶେଷ ପରଠାରୁ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।
ମୃତ୍ୟୁବରଣ କରିଥିବା ଉଭୟ ଲୋକ ଏକ ପାଣି ଟ୍ୟାଙ୍କର ତଳୁ ବାହାରକୁ ଆସୁଥିଲେ। ଟ୍ୟାଙ୍କରଟି ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବ୍ୟବହୃତ ହେଉଥିଲା ଯାହା ଓଲଟି ପଡ଼ିଥିଲା।
ଟ୍ୟାଙ୍କର ଓଲଟି ପଡ଼ିବା ଯୋଗୁଁ ଆହତ ହୋଇଥିବା ଉଭୟ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଛି।
ତୁର୍କୀର ଚତୁର୍ଥ ବୃହତ୍ତମ ସହର ବୁର୍ସା ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ୩,୫୦୦ ରୁ ଅଧିକ ଲୋକଙ୍କୁ ଘରୁ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ କରାଯାଇଛି।
ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି, ଶୁଷ୍କ ପାଗ ଏବଂ ପ୍ରବଳ ପବନ ଯୋଗୁଁ ନିଆଁର ତୀବ୍ରତା ବୃଦ୍ଧି ପାଇଛି।
ଏହି ସମୟରେ ତୁର୍କୀ ସମେତ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ପ୍ରବଳ ଗରମ ରହିଛି। ବୁର୍ସା ପାଖାପାଖି ଅଗ୍ନିକାଣ୍ଡ ଗତ ମାସରେ ତୁର୍କୀରେ ଅଗ୍ନିକାଣ୍ଡର ଅନେକ ଘଟଣା ମଧ୍ୟରୁ ଗୋଟିଏ।
ଯଦିଓ ଅଗ୍ନିଶମ କର୍ମଚାରୀମାନେ ଅନେକ ଘରକୁ ନିଆଁରୁ ରକ୍ଷା କରିଛନ୍ତି, ଜଙ୍ଗଲର ଏକ ବଡ଼ ଅଂଶ ପାଉଁଶ ହୋଇଯାଇଛି।
ତୁର୍କୀର ଜଙ୍ଗଲ ମନ୍ତ୍ରୀ ଇବ୍ରାହିମ୍ ୟୁମାକାଲି କହିଛନ୍ତି ଯେ ତୁର୍କୀରେ ଅତି କମରେ ୪୪ଟି ସ୍ଥାନରେ ଭିନ୍ନ ଭିନ୍ନ ଅଗ୍ନିକାଣ୍ଡ ଘଟିଛି।
ବୁର୍ସା ବ୍ୟତୀତ, କାରାବୁକ୍ (ଉତ୍ତର-ପଶ୍ଚିମ) ଏବଂ କାହରାମାନମାରସ୍ (ଦକ୍ଷିଣ)ରେ ଅଗ୍ନିକାଣ୍ଡ ସବୁଠାରୁ ଗମ୍ଭୀର।