fbpx

କରୋନାଠୁ ଭୟଙ୍କର: ସିଧା ମଣିଷର ବ୍ରେନକୁ ଆଟାକ୍ କରୁଛି ନିପା ଭାଇରସ୍, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ସାରା ଦୋରେ ବର୍ତ୍ତମାନ ନିପା ଭାଇରସକୁ ନେଇ ଆତଙ୍କ ବଢିବାରେ ଲାଗିଛି । ୨୦୧୯-୨୦ ସମୟରେ କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିବା ପରେ ଏବେ ନିପା ଭାଇରସ ଯୋଗୁଁ ମଧ୍ୟ ସେହିଭଳି ଭୟ ଘାରିଛି । କିନ୍ତୁ ନିପା ଭାଇରସ କରୋନାଠାରୁ ମଧ୍ୟ ଅନେକ ଗୁଣରେ ଅଧିକ ଭୟଙ୍କର ହୋଇପାରେ ବୋଲି କୁହାଯାଉଛି । ବିଶେଷ କରି କେରଳରେ ଏହି ଭାଇରସର ଭୟ ଅଧିକ ଦେଖା ଦେଇଛି । ରାଜ୍ୟରୁ ୫ରୁ ଅଧିକ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ରୋଗୀ ପ୍ରାଣ ହରାଇ ସାରିଛନ୍ତି ।

କେରଳରେ ୫ ଜଣ ଭାଇରସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ କେରଳରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଏହି ସଂକ୍ରମିତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରାୟ ୭୦୦ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବାକୁ ମିଳିଛି । ତେଣୁ ଏହି ଭାଇରସ ବର୍ତ୍ତମାନ ସାରା ରାଜ୍ୟକୁ ବ୍ୟାପିବାର ଆଶଙ୍କା ଦେଖା ଦେଇଛି । ତେବେ କେରଳରେ ଚିହ୍ନଟ ହୋଇଥିବା ନିପା ଭାଇରସର ନୂଆ ଷ୍ଟ୍ରେନ ଖୁବ ଭୟଙ୍କର । ଏହା ଦ୍ରୁତ ଗତିରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କୁ ସଂକ୍ରମଣ କରୁଥିବା ବେଳେ ଏଥିରେ ମୃତ୍ୟୁହାର ମଧ୍ୟ ଖୁବ ଅଧିକ ରହୁଥିବା ଜଣାଯାଇଛି । ତେବେ ଏହି ଭାଇରସ ସିଧାସଳଖ ମଣିଷର ମସ୍ତିଷ୍କକୁ ଆକ୍ରମଣ କରିଥାଏ, ଯାହା ଫଳରେ ଆକ୍ରାନ୍ତଙ୍କର ମୃତ୍ୟୁର ସମ୍ଭାବନା ବୃଦ୍ଧି ହୋଇଥାଏ । ତେବେ ନିପା ଭାଇରସରେ ବର୍ତ୍ତମାନ କେରଳ ଛୋଟ ପିଲାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ତେଣୁ କେରଳର ପରିସ୍ଥିତିକୁ ନଜରରେ ରଖି ଆଖପାଖ ରାଜ୍ୟଗୁଡ଼ିକରେ ମଧ୍ୟ ଆଲର୍ଟ ଜାରି ହୋଇଛି ।

ଡାକ୍ତରଙ୍କ କହିବା ଅନୁସାରେ, ନିପା ଭାଇରସ କରୋନା ଅପେକ୍ଷା ଆହୁରି ଭୟଙ୍କର । କରୋନା ତୁଳନାରେ ଏହାର ମୃତ୍ୟୁସଂଖ୍ୟା ମଧ୍ୟ ଖୁବ ଅଧିକ । କରୋନା ରୋଗୀଙ୍କ ଫୁସଫୁସକୁ ଆକ୍ରାନ୍ତ କରୁଥିବା ବେଳେ ନିପା ଭାଇରସ ବ୍ରେନକୁ ଆଟାକ କରୁଛି ।

ନିପା ଭାଇରସର ଲକ୍ଷଣ:

ନିପା ଭାଇରସରେ ରୋଗୀଙ୍କ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ସହିତ ମୁଣ୍ଡ ବୁଲାଇବା ଏବଂ ଗଳାରେ ସମସ୍ୟା ଦେଖାଦେଇଥାଏ । ତେବେ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ନିୟମିତ ହାତ ଧୋଇବା(ବିଶେଷ କରି ଖାଦ୍ୟ ଗ୍ରହଣ ପୂର୍ବରୁ) ସହ ଖରାପ ଫଳରୁ ଦୂରେଇ ରୁହନ୍ତୁ । ଏହାବ୍ୟତୀତ ଜ୍ୱରରେ ପୀଡ଼ିତ ବ୍ୟକ୍ତିଙ୍କ ପାଖରୁ ଦୂରେ ରହିବା ସହିତ ପାଣି ଫୁଟାଇ ପିଇବା ପାଇଁ ଉପଦେଶ ଦେଇଛନ୍ତି ଡାକ୍ତର ।

Get real time updates directly on you device, subscribe now.