fbpx

୪ରେ ଆସୁଛି ଆଉ ଏକ ଲଘୁଚାପ! ଆଜି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର (ବ୍ୟୁରୋ): ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪ ତାରିଖରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶାଉପକୂଳରେ ଲଘୁଚାପର ରୂପ ନେବା ସମ୍ଭାବନା ଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ୪ ତାରିଖରୁ ବର୍ଷାର ପ୍ରଭାବ ଲାଗି ରହିବ । ତେବେ ଲଘୁଚାପ ଅବପାତ କିମ୍ବା ବାତ୍ୟା ରୂପ ନେବ, ସେ ନେଇ କୌଣସି ଆକଳନ କରାଯାଇନାହିଁ । ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଗୁରୁବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଶୁକ୍ରବାରମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷରେ ଚଳିତବର୍ଷର ଶୀତକୁ ନେଇ ଆଇଏମ୍ଡି ଡିଜି କହିଛନ୍ତି ଯେ ବର୍ତ୍ତମାନ ଏଲ୍ନିନୋ ସକ୍ରିୟ ନାହିଁ । ଏବେ ତାପମାତ୍ର ୦.୫ ଡିଗ୍ରୀ ସେଲସିୟସ ମାଇନସ ରହିଛି । ଅକ୍ଟୋବର ଓ ନଭେମ୍ବର ମାସରେ ଲା ନିନା କଣ୍ଡିସନ ଯେତେବେଳେ ବିକଶିତ ହୁଏ, ସେତେବେଳେ ସାଧାରଣତଃ ଉତ୍ତର ଭାରତରେ ତାପମାତ୍ରା କମ୍ ରହିଥାଏ । ତେଣୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ ।

Get real time updates directly on you device, subscribe now.