‘ମଥୁରା ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ, ସେଠାରେ ମସଜିଦ୍ର କାମ କ’ଣ ?’- ବାବା ରାମଦେବଙ୍କ ବଡ଼ ବୟାନ
ମନ୍ଦିର-ମସଜିଦ ବିବାଦକୁ ନେଇ ଯୋଗଗୁରୁ ସ୍ୱାମୀ ରାମଦେବଙ୍କ ବଡ଼ ବୟାନ। ମଥୁରା ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ। କହିଲେ ସେଠି ମସଜିଦ୍ର କାମ କ'ଣ?
ନୂଆଦିଲ୍ଲୀ: ମନ୍ଦିର ମସଜିଦ ବିବାଦକୁ ନେଇ ଯୋଗଗୁରୁ ସ୍ୱାମୀ ରାମଦେବ ବଡ ବୟାନ ଦେଇଛନ୍ତି। ମଥୁରାରେ ମସଜିଦ୍ ବିବାଦ ସମ୍ପର୍କରେ ସେ କହିଛନ୍ତି, ମଥୁରା ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ, ସେଠାରେ ମସଜିଦ୍ର କାମ କ’ଣ?
ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ବାବା ରାମଦେବ କହିଛନ୍ତି, ଯାହା ଆମର ତୀର୍ଥସ୍ଥାନ ଥିଲା। ସେଠି ଆକ୍ରମଣକାରୀମାନେ ବହୁତ ଅତ୍ୟାଚାର କରିଛନ୍ତି।
ସେସବୁ ତୀର୍ଥସ୍ଥାନ ଆମକୁ ହସ୍ତାନ୍ତର କରାଯିବା ଉଚିତ। ଯଦି ସବୁଠି ବିବାଦ ସୃଷ୍ଟି ହୁଏ, ତେବେ ଦେଶର ଭାଇଚାରା ବିପଦରେ ପଡ଼ିଥାଏ।
ତେଣୁ ସବୁଠି ବିବାଦ ହେବା ଉଚିତ ନୁହେଁ। ଯାହା କି ଆମର ଅତ୍ୟନ୍ତ ଗର୍ବର ସ୍ଥାନ। ମଥୁରା, କାଶୀ ବିଶ୍ୱନାଥଙ୍କ ଭଳି। ଏହା ଭଗବାନ ଭୋଲେ ନାଥଙ୍କ ସହର ଏବଂ ଜ୍ଞାନବାପି କୌଣସି ମସଜିଦ୍ ର ନାମ ହୋଇପାରିବ ନାହିଁ।
ମଥୁରା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ। ସେଠାରେ ମସଜିଦ୍ ର ଲାଭ କ’ଣ? ଆମର ମୁସଲମାନ ଭାଇମାନେ ଏକ ବଡ଼ ହୃଦୟ ପ୍ରଦର୍ଶନ କରିବା ଉଚିତ।
ମଥୁରା ଓ କାଶୀ ମଧ୍ୟରେ କ’ଣ ରହିଛି ବିବାଦ ?: ବାରଣାସୀର ଜ୍ଞାନବାପି ମସଜିଦରେ ୧୯୯୧ ମସିହାରୁ ମାମଲା ଚାଲିଛି। ତେବେ ୨୦୨୧ ମସିହା ପରେ ଏହି ମାମଲା ନୂଆ କରି ଆଗକୁ ବଢ଼ିଛି।
ଚଳିତ ବର୍ଷ ପ୍ରାରମ୍ଭରେ ୫ ଜଣ ମହିଳା ମନ୍ଦିର ଭିତରେ ଦେବତାଙ୍କ ମୂର୍ତ୍ତି ଥିବା ଦାବି କରି ପୂଜା ପାଇଁ ଅନୁମତି ମାଗିଥିଲେ। ଫେବୃଆରୀ ୨୦୨୪ରେ ଏଠାରେ ପୂଜା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।
ଏହାପରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏହି ପିଟିସନ୍ ପୂଜାସ୍ଥଳୀ ଆଇନକୁ ଉଲ୍ଲଂଘନ କରୁନାହିଁ। ସେହିପରି ମଥୁରାର ଶାହି ଇଦ୍ଗାହ ମସଜିଦକୁ ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ନିର୍ମିତ ହୋଇଥିଲା।
୨୦୨୦ରେ ୬ ଜଣ ଶ୍ରଦ୍ଧାଳୁ ମସଜିଦ ହଟାଇବା ପାଇଁ ପିଟିସନ ଦାଖଲ କରିଥିଲେ। ଅଗଷ୍ଟ ୨୦୨୪ରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଏହି ପିଟିସନ୍ ଗୁଡ଼ିକ ମଧ୍ୟ ଉପାସନା ସ୍ଥଳ ଆଇନ, ୧୯୯୧ର ବିରୁଦ୍ଧରେ ନୁହେଁ।
୨୦୨୩ରେ ହାଇକୋର୍ଟ ମସଜିଦସର୍ଭେ ପାଇଁ ଜଣେ କୋର୍ଟ କମିଶନରଙ୍କୁ ନିଯୁକ୍ତ କରିଥିଲେ, କିନ୍ତୁ ଜାନୁଆରୀ ୨୦୨୪ରେ ସୁପ୍ରିମକୋର୍ଟ ଏହା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ, ଯାହା ଏବେ ବି ବଳବତ୍ତର ରହିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।