ଲକ୍ଷ୍ନୌ: ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ୨୦୨୫ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ମହାକୁମ୍ଭରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣୀ ଏବଂ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଯୋଗୀ ସରକାର ବିଶେଷ ତାଲିମପ୍ରାପ୍ତ ମାଉଣ୍ଟେଡ୍ ପୋଲିସ(ଯିଏ ଘୋଡ଼ା ଚଢ଼ିଥାନ୍ତି) ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଏବଂ କଠିନ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ମାଉଣ୍ଟେଡ୍ ପୋଲିସ ଦକ୍ଷତା ଏବଂ କାର୍ଯ୍ୟକାରିତାର ପ୍ରତୀକ । ମଜବୁତ ତାଲିମ ଏବଂ ଶାନଦାର ଘୋଡ଼ା ସହଯୋଗରେ ସେମାନେ କେବଳ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତି ନାହିଁ ବରଂ କୁମ୍ଭ ମେଳାର ବିଶାଳ ଆୟୋଜନକୁ ସୁଗମ ଏବଂ ଶୃଙ୍ଖଳିତ କରିବାରେ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି ।
ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କ କହିବାନୁଯାୟୀ ଏହି କାର୍ଯ୍ୟ ପାଇଁ ଘୋଡ଼ାଙ୍କୁ ବିଶେଷ ତଲିମ ଦିଆଯାଇଛି । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମାଉଣ୍ଟେଡ୍ ପୋଲିସକୁ ବିଶେଷ ତାଲିମ ଦିଆଯାଇଛି । ଭୌଗୋଳିକ ସ୍ଥିତି ସହ ଅବଗତ ହେବା ପାଇଁ ମାଉଣ୍ଟେଡ୍ ପୋଲିସ ସକାଳ ଏବଂ ସନ୍ଧ୍ୟା ସମୟରେ ମେଳା ଅଞ୍ଚଳର ପାଟ୍ରୋଲିଂ ପାଇଁ ବାହାରିଥାଏ । ଘୋଡ଼ାଙ୍କ ପାଇଁ ୩ ଜଣ ପଶୁ ଚିକିତ୍ସକ ମଧ୍ୟ ନିୟୋଜିତ ହେବେ । ମାଉଣ୍ଟେଡ୍ ପୋଲିସ ଫୋର୍ସରେ ୪-୫ ବର୍ଷର ଘୋଡ଼ା ବ୍ୟବହାର କରାଯାଇଥାଏ ଯେଉଁମାନେ ୨୦ ବର୍ଷରେ ଅବସରପ୍ରାପ୍ତ କରିଥାନ୍ତି । ଏହି ମେଳାରେ ୧୩୦ଟି ଘୋଡ଼ା ନିୟୋଜିତ ହେବେ । ତାଙ୍କ ସହ ୧୩୧ ଜଣ ମାଉଣ୍ଟେଡ୍ ପୋଲିସ(ଇନ୍ସପେକ୍ଟର, ସବଇନ୍ସପେକ୍ଟର, ହେଡ୍ କନଷ୍ଟେବଳ ଏବଂ କନଷ୍ଟେବଳ) ରହିବେ ଏବଂ ଘୋଡ଼ାଙ୍କ ସେବା ପାଇଁ ଅନ୍ୟ ୩୫ ଜଣ କର୍ମଚାରୀ ଉପସ୍ଥିତ ରହିବେ ।