fbpx

ATMରୁ ଫଟା ନୋଟ୍ ବାହାରିଲେ କେମିତି କରିବେ ଏକ୍ସଚେଞ୍ଜ? ଜାଣନ୍ତୁ କ’ଣ ଉପାୟ କହିଲା SBI

ନୂଆଦିଲ୍ଲୀ: ଟଙ୍କା ବାହାର କରିବାକୁ ଅଧିକାଂଶ ଲୋକେ ଏଟିଏମର ବ୍ୟବହାର କରିଥାନ୍ତି । ଏପରି ପରିସ୍ଥିତିରେ ଅନେକ ଥର ଏଟିଏମରୁ ଫଟା ନୋଟ୍ ବାହାରିଥାଏ । ଫଟା ନୋଟକୁ ଦେଖି ଲୋକମାନଙ୍କର ସମସ୍ୟା ବଢ଼ିଯାଏ । ଯଦି ଆପଣଙ୍କ ସହିତ ବି ଏପରି କିଛି ହେଉଛି, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣ ଏଟିଏମରୁ ବାହାର କରିଥିବା ଫଟା ନୋଟକୁ ଅତି ସହଜରେ ବଦଳାଇପାରିବେ ।

ତେବେ ଫଟା ନୋଟ୍ ବଦଳାଇବାକୁ ହେଲେ ଆପଣଙ୍କୁ ସେହି ବ୍ୟାଙ୍କରେ ଆବେଦନ କରିବାକୁ ପଡି଼ବ ଯାହାର ଏଟିଏମରୁ ଆପଣ ନଗଦ ଟଙ୍କା ବାହାର କରିଥିଲେ । ଆପଣଙ୍କୁ ଆବେଦନରେ ଏଟିଏମରୁ ଟଙ୍କା ଉଠାଇବାର ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ କରିବାକୁ ପଡି଼ବ । ଯଦି ଆପଣଙ୍କ ପାଖରେ ଏଟିଏମରୁ ମିଳିଥିବା ସ୍ଲିପ୍ ନାହିଁ, ତେବେ ଆପଣଙ୍କୁ ମୋବାଇଲ ଫୋନରେ ଆସିଥିବା ମେସେଜର ବିବରଣୀ ଦେବାକୁ ପଡି଼ବ ।

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ କଟା-ଫଟା ନୋଟ୍ ବିନିମୟ ହୋଇପାରିବ ନାହିଁ, କିନ୍ତୁ ଜଣେ ଉପଭୋକ୍ତା ଟ୍ୱିଟରରେ ଏ ନେଇ ଅଭିଯୋଗ କରିବା ପରେ ଏହି ପରିସ୍ଥିତିରେ ଗ୍ରାହକ କ’ଣ ପଦକ୍ଷେପ ନେବା ଉଚିତ ତାହା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବୁଝାଇ କହିଛି । ଏସବିଆଇ କହିଛି, ‘ଦୟାକରି ଧ୍ୟାନ ଦିଅନ୍ତୁ ଯେ ନୋଟଗୁଡି଼କୁ ଆମ ଏଟିଏମରେ ଲୋଡ୍ କରିବା ପୂର୍ବରୁ ସେଗୁଡ଼ିକୁ ଅତ୍ୟାଧୁନିକ ନୋଟ୍ ସର୍ଟିଂ ମେସିନ୍ ମାଧ୍ୟମରେ ଯାଞ୍ଚ କରାଯାଇଥାଏ । ତେଣୁ ମଇଳା କିମ୍ବା ଫଟା ନୋଟ୍ ବାହାରିବା ଅସମ୍ଭବ । ତଥାପି ଆପଣ ଯେକୌଣସି ଶାଖାକୁ ଆସି ସେମିତି ନୋଟ୍ ଏକ୍ସଚେଞ୍ଜ କରିପାରିବେ ।’

SBI ଅନୁଯାୟୀ ଯେକୌଣସି ବ୍ୟକ୍ତି ସାଧାରଣ ବ୍ୟାଙ୍କିଙ୍ଗ ବା ନଗଦ ସମ୍ବନ୍ଧୀୟ ଅସୁବିଧା ଭୋଗ କରୁଥିଲେ https://crcf.sbi.co.in/ccf/ ୱେବସାଇଟ୍ ପୃଷ୍ଠାରେ ଅଭିଯୋଗ କରିପାରିବେ । ଏହି ଲିଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ପାଇଁ ଉଦ୍ଦିଷ୍ଟ । କୌଣସି ବ୍ୟାଙ୍କ୍ ଏଟିଏମରୁ ବାହାରିଥିବା ବିକୃତ ନୋଟ୍ ବଦଳାଇ ତା’ ସ୍ଥାନରେ ଭଲ ନୋଟ୍ ଦେବାକୁ ମନା କରିପାରିବେ ନାହିଁ । ଏଥି ସହିତ ଯଦି ବ୍ୟାଙ୍କଗୁଡିକ ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସମ୍ପୃକ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଗ୍ରାହକଙ୍କ ଅଭିଯୋଗ ଉପରେ ନିର୍ଭର କରି ବ୍ୟାଙ୍କକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମଧ୍ୟ ଦେବାକୁ ପଡି଼ପାରେ ବୋଲି ନିୟମ ଅଛି । ଟଙ୍କା ଏକ୍ସଚେଞ୍ଜ କରିବାକୁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ନିୟମ ମୁତାବକ, ଜଣେ ବ୍ୟକ୍ତି ଗୋଟଏ ଥରରେ କେବଳ ୨୦ଟି ନୋଟ୍ ବଦଳାଇ ପାରିବ ।

Get real time updates directly on you device, subscribe now.