ମୁମ୍ବାଇ,୧୦ା୪: ପ୍ରେମ ଯେକୌଣସି ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରିପାରେ l ମାୟା ନଗରୀ ମୁମ୍ବାଇରୁ ଆସିଛି ଏପରି ଏକ ଜୀବନ ନଷ୍ଟକାରୀ କାହାଣୀ। କିଛି ଦିନ ପୂର୍ବେ, ମୁମ୍ବାଇର ଉଲୱେ ଅଞ୍ଚଳରେ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ମାମଲାରେ ଏକ ନୂତନ ଖୁଲାସା ହୋଇଛି।
ଜଣେ ଯୁବତୀ ଏବଂ ତାଙ୍କ ପ୍ରେମିକ ମିଶି ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ମୁଣ୍ଡକୁ ହାତୁଡ଼ିରେ ଆଘାତ କରି ତାଙ୍କ ଆଖି ତାଡି ହତ୍ୟା କରିଛନ୍ତି। ହତ୍ୟା ପରେ, ଅଭିଯୁକ୍ତ ନଭି ମୁମ୍ବାଇରୁ ପଳାଇ ଯାଇଥିଲେ। ଅଭିଯୁକ୍ତ ଜଣକ ଗାଡ଼ି ଚଲାଇ ଜାଣି ନଥିବାରୁ ସେ ପୁଣେ ଏବଂ ନାସିକରେ ଦୁର୍ଘଟଣା ଘଟାଇଥିଲେ। ଏହା ପରେ ଘଟଣା ସାମ୍ନାକୁ ଆସିଥିଲା l ଅଭିଯୁକ୍ତକୁ ହେପାଜତକୁ ନେବା ପରେ ସେ କ୍ୟାବ୍ ଡ୍ରାଇଭରଙ୍କୁ ହତ୍ୟା କରିଥିଲା ବୋଲି ସ୍ୱୀକାର କରିଥିଲା l ଫଳରେ ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l
ମୃତ ୪୪ ବର୍ଷୀୟ କ୍ୟାବ୍ ଡ୍ରାଇଭରଙ୍କ ନାମ ସଞ୍ଜୟ ପାଣ୍ଡେ। ସେ ଅବିବାହିତ ଥିଲେ ଏବଂ ନଭି ମୁମ୍ବାଇର ଉଲୱେ ଅଞ୍ଚଳରେ ରହୁଥିଲେ। କିଛି ମାସ ପୂର୍ବେ, ୧୯ ବର୍ଷୀୟା ଅଭିଯୁକ୍ତ ରିଆ ସରକନ୍ୟା ସିଂହ ମୃତକ ସଞ୍ଜୟଙ୍କ କାରରେ ଯାତ୍ରା କରିଥିଲେ। ଯାତ୍ରା ସମୟରେ, ଅଭିଯୁକ୍ତ ଯୁବତୀ କହିଥିଲା ଯେ ସେ ଅସହାୟ ଥିଲା। ସେ ଏହା ମଧ୍ୟ କହିଲେ ଯେ, ତାଙ୍କୁ ଏକ ଚାକିରି ଦରକାର। ଝିଅଟିର ପରିସ୍ଥିତି ବୁଝିବା ପରେ, ପାଣ୍ଡେ ତାକୁ ନିଜ ଘରେ ଆଶ୍ରୟ ଦେଇଥିଲେ। ସେ , ଉଲୱେ ଅଞ୍ଚଳରେ ଏକ ଚାକିରି ମଧ୍ୟ କରାଇଦେଲେ। ଝିଅଟି ପ୍ରାୟ ଗୋଟିଏ ମାସ ଧରି କ୍ୟାବ୍ ଡ୍ରାଇଭରଙ୍କ ଘରେ ରହୁଥିଲା।
ଏହି ସମୟରେ, ସେ ସୋସିଆଲ ମିଡିଆରେ ନାସିକର ବିଶାଲ ସିନ୍ଦେ (୨୧)ଙ୍କୁ ଭେଟିଥିଲା । ଏହି ପରିଚୟ ଯୋଗୁ,ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଏହି କାରଣରୁ ଅଭିଯୁକ୍ତ ରିଆ ବିଶାଲଙ୍କୁ ଭେଟିବା ପାଇଁ ନାସିକ୍ ଯାଇଥିଲା । କିନ୍ତୁ ପାଣ୍ଡେ ଚାହୁଁଥିଲେ ଯେ ରିଆ ତାଙ୍କ ସହିତ ରୁହନ୍ତୁ। ସେ ଏ ବିଷୟରେ ରିଆ ଉପରେ ଚାପ ପକାଇଥିଲେ। ମାର୍ଚ୍ଚ ୩୧ରେ, ସଞ୍ଜୟ ପାଣ୍ଡେ ଉଭୟଙ୍କୁ ନଭି ମୁମ୍ବାଇ ଆଣିଥିଲେ।
୧ ଏପ୍ରିଲ ରାତିରେ, ସଞ୍ଜୟ ପାଣ୍ଡେ ଏହି ପ୍ରେମୀଯୁଗଳଙ୍କୁ ତାଙ୍କ ଫୋନ୍ରେ କଏଦ କରିଥିଲେ। ଭିଡିଓ ଭାଇରାଲ କରିବାର ଧମକ ଦେଇ, ସଞ୍ଜୟ ପାଣ୍ଡେ ରିଆଙ୍କଠାରୁ ଶାରୀରିକ ସୁଖ ଦାବି କରିଥିଲେ। ଅଭିଯୁକ୍ତ ରିଆ ଦାବି କରିଛନ୍ତି ଯେ, ଏହି କାରଣରୁ ରିଆ ଏବଂ ବିଶାଲ ଏକ ହାତୁଡ଼ିରେ ସଞ୍ଜୟ ପାଣ୍ଡେଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିଲେ। ପୋଲିସ ଉଭୟଙ୍କୁ ଗିରଫ କରିଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।