କନ୍ନୁରର କୁଥୁପରମ୍ବାରେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସେ ୟୁଟ୍ୟୁବରେ ଆସିଥିବା ଏକ ଡାଏଟ୍ ପ୍ଲାନ୍ ଫଲୋ କରୁଥିଲେ, ଯାହା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ମୃତ ଯୁବତୀଙ୍କ ନାମ ଏମ୍. ଶ୍ରୀନନ୍ଦା ଏବଂ ସେ ମଟ୍ଟାନୁର ପାଜାସି ରାଜା ଏନଏସଏସ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ ।
ଶ୍ରୀନନ୍ଦା ଓଜନ ହ୍ରାସ କରିବା ପାଇଁ କିଛି ସମୟ ଧରି ବହୁତ କମ୍ ଖାଦ୍ୟ ଖାଉଥିଲେ । ସେ ୟୁଟ୍ୟୁବରେ ଉପଲବ୍ଧ ଡାଏଟ୍ ପ୍ଲାନ୍ ଦେଖି ତାଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣୁଥିଲେ ।
ରିପୋର୍ଟ ଅନୁସାରେ, ସେ ତାଙ୍କର ଖାଦ୍ୟ ଗ୍ରହଣ ବହୁ ପରିମାଣରେ ହ୍ରାସ କରିଦେଇଥିଲେ, ଯାହା ଫଳରେ ତାଙ୍କ ଶରୀରକୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ମିଳୁନଥିଲା । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା, କିନ୍ତୁ ଯେତେବେଳେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ସେତେବେଳେ ବହୁତ ଡେରି ହୋଇଯାଇଥିଲା ।
ଯେତେବେଳେ ଶ୍ରୀନନ୍ଦାଙ୍କ ଅବସ୍ଥା ଖରାପ ହୋଇଗଲା, ତାଙ୍କୁ ତୁରନ୍ତ ଥାଲାସେରୀ ସମବାୟ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି ଡାକ୍ତରମାନେ ତାଙ୍କୁ କୋଝିକୋଡ ମେଡିକାଲ କଲେଜକୁ ରେଫର କରିଥିଲେ । କିନ୍ତୁ ସମସ୍ତ ପ୍ରୟାସ ସତ୍ତେ୍ୱ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।
ଶ୍ରୀନନ୍ଦାଙ୍କ ମୃତ୍ୟୁରେ ତାଙ୍କ ପରିବାର ଗଭୀର ମର୍ମାହତ । ତାଙ୍କ ବାପା ଅଲକ୍କାଦନ ଶ୍ରୀଧରନ, ମାଆ ଏମ୍. ଶ୍ରୀଜା ଏବଂ ଭାଇ ଯଦୁନନ୍ଦ ବିଶ୍ୱାସ କରିପାରୁନାହାଁନ୍ତି ଯେ ସେମାନଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ । ସେ କୁହନ୍ତି ଯେ, ସେ ପାଠପଢ଼ାରେ ଭଲ ଥିଲେ ଏବଂ ସବୁବେଳେ ଖୁସି ରହୁଥିଲେ । କିନ୍ତୁ ଓଜନ ହ୍ରାସ କରିବା ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ତାହା ତାଙ୍କ ଜୀବନ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଲା ।
ଆଜିକାଲି ଇଣ୍ଟରନେଟରେ ଓଜନ ହ୍ରାସ କରିବାର ଅନେକ ପଦ୍ଧତି ଉପଲବ୍ଧ, କିନ୍ତୁ ସମସ୍ତ ନିରାପଦ ବୋଲି ଭାବିବା ଠିକ୍ ନୁହେଁ । ବିଶେଷଜ୍ଞଙ୍କ ପରାମର୍ଶ ବିନା ଯେକୌଣସି ଡାଏଟ୍ ପ୍ଲାନ୍ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ ବୋଲି ଡାକ୍ତରମାନେ କହିଛନ୍ତି ।