fbpx

ସାପ ବିଷ ମାମଲାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବିଗ ବସ ଓଟିଟି ୨ ବିଜେତା ତଥା ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କୁ ମିଳିଲା ଜାମିନ। ଗତ ମାର୍ଚ୍ଚ ୧୭ ରେ ରେଭ ପାର୍ଟିରେ ସାପ ବିଷ ମଗାଇବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାରେ ସେ କୋର୍ଟରୁ ଜାମିନ ପାଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ପାଇବା ପରେ ଏଲଭିଶ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଟୁଇଟରରେ ଲଗାତର ଭାବେ ସେ ଟ୍ରେଣ୍ଡ କରୁଛନ୍ତି। ଏଲଭିଶଙ୍କୁ ଏନ୍‌ଡିପିଏସ୍‌ର ନିମ୍ନ ଅଦାଲତରେ ଜାମିନ ପ୍ରଦାନ କରାଯାଇଛି। ତେବେ ୫ ଦିନ ଜେଲରେ ରହିବା ପରେ ଏଲଭିଶ ଏବେ ତାଙ୍କ ଘରକୁ ଫେରିବେ। ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ତାଙ୍କୁ କୋର୍ଟରୁ ଜାମିନ ମିଳିଛି।

ସୂଚନା ଥାଉକି, ନୋଏଡାରେ ସାପ ବିଷ ଯୋଗାଇବା ମାମଲାରେ ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବଙ୍କ ନାମ ସାମ୍ନାକୁ ଆସିଥିଲା। ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୋଲିସ ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ସାପ ବିଷ ମାମଲାରେ ଏଫଆଇଆର ରୁଜୁ କରିଥିଲା। ତେବେ ଏଲଭିଶ ରେବ୍ ପାର୍ଟି ଲାଗି ସାପ ବିଷର ଯୋଗାଡ କରୁଥିଲେ ଓ ନିଜର ଭିଡିଓ ଶୁଟ୍ ସମୟରେ ସାପର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ରହିଛି। ଏଥିପାଇଁ ମାର୍ଚ୍ଚ ୧୭ ତାରିଖ ଦିନ ଏଲଭିସଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଡାକିଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ ଏଲଭିଶ ଯାଦବ ଗିରଫ ହୋଇଥିଲେ। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ନୋଏଡା ପୋଲିସର ପଚରାଉଚରା ବେଳେ ସେ ସାପ ବିଷ ଯୋଗାଇ ଦେଇଥିବା ସ୍ୱୀକାର କରିଥିଲେ।

Get real time updates directly on you device, subscribe now.