fbpx

ଆଜି Double Century କରିବେ ୟୁଜବେନ୍ଦ୍ର ଚହଲ! ପ୍ରଥମ ବୋଲର ଭାବରେ କରିବେ ଏହି ରେକର୍ଡ

ନୂଆଦିଲ୍ଲୀ: ଆଜି ଆଇପିଏଲର ୨୪ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୋୟଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ଗୁଜୁରାଟ । ତେବେ ଏହି ମ୍ୟାଚରେ ଏକ ବଡ଼ ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇପାରନ୍ତି ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ । ସ୍ପିନ ବୋଲିଂରେ କମାଲ କରୁଥିବା ଚହଲ ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ନିଜ ନାମରେ କରିପାରନ୍ତି । ଆଇପିଏଲ ଇତିହାସରେ ୨୦୦ ୱିକେଟ ନେଇ ଏହି ତାଲିକାରେ ପ୍ରଥମ ବୋଲର ହୋଇପାରନ୍ତି ୟୁଜବେନ୍ଦ୍ର ଚହଲ ।

ଗୁଜୁରାଟ ବିପକ୍ଷ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ପାଖରେ ଇତିହାସ ଲେଖିବାର ସୁବର୍ଣ୍ଣ ସୁଯୋଗ ରହିଛି । ଏହି ମ୍ୟାଚରେ ଏକ ଡବଲ ସେଞ୍ଚୁରୀ ହାସଲ କରିପାରନ୍ତି ସ୍ପିନର ଏହି ଯାଦୁଗର । ଆଜି ନିଜ କ୍ୟାରିୟରର ୧୫୦ତମ ଆଇପିଏଲ ମ୍ୟାଚ କେଳିବାକୁ ମଇଦାନକୁ ଓହ୍ଲାଇଛନ୍ତି ୟୁଜବେନ୍ଦ୍ର । ତେବେ ୧୫୦ତମ ମ୍ୟାଚରେ ଏକ ଦମଦାର ଦ୍ୱିଶତକ ହାସଲ କରିପାରନ୍ତି । ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୧୪୯ଟି ମ୍ୟାଚରୁ ମୋଟ ୧୯୫ଟି ୱିକେଟ ନିଜ ନାମରେ କରି ସାରିଛନ୍ତି ଚହଲ । ତେବେ ଗୁଜୁରାଟ ବିପକ୍ଷରେ ମାତ୍ର ୫ଟି ୱିକେଟ ଅକ୍ତିଆର କଲେ ସେ ଆଇପିଏଲ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିବେ । ବିଶ୍ୱର ସମସ୍ତ ବୋଲରଙ୍କ ମଧ୍ୟରେ ୨୦୦ ୱିକେଟ ନେବାରେ ପ୍ରଥମ ବୋଲର ପାଲଟିବେ ୟୁଜବେନ୍ଦ୍ର ଚହଲ ।

ଏବେ ଆଇପିଏଲରେ ସର୍ବାଧିକ ୱିକେଟ ତାଲିକାର ଚହଲ ଶୀର୍ଷରେ ରହିଛନ୍ତି । ଏହାପରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ୧୮୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ତୃତୀୟରେ ପିୟୁଷ ଚାୱଲା(୧୮୧), ଚତୁର୍ଥରେ ଅମିତ ମିଶ୍ରା ଏବଂ ଭୁବନେଶ୍ୱର କୁମାର(୧୭୩ ) ରହିଥିବା ବେଳେ ଷଷ୍ଠ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱୀନ(୧୭୨)ଟି ୱିକେଟ ହାସଲ କରିଛନ୍ତି ।

ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୧୩ ମସିହାରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିବା ବେଳେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଏବେ ବେଙ୍ଗଲୁରୁ) ପକ୍ଷରୁ ୧୧୩ ମ୍ୟାଚରୁ ୧୩୯ଟି ସଫଳତା ପାଇଛନ୍ତି । ତେବେ ରାଜସ୍ଥାନ ରୋୟଲ୍ସ ପାଇଁ ଏବେ ସୁଦ୍ଧା ମୋଟ ୩୫ଟି ମ୍ୟାଚରୁ ୫୬ଟି ୱିକେଟ ସହ ସେ ସର୍ବଶେଷ୍ଠ ବୋଲରଙ୍କ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଚଳିତ ସିଜନରେ ରାଜସ୍ଥାନର ୪ଟି ମ୍ୟାଚରୁ ୩ଟି ୱିକେଟ ନେଇଛନ୍ତି ଚହଲ ।

Get real time updates directly on you device, subscribe now.