ପାରିଲେନି ଟ୍ରମ୍ପ, ଭାରତ ଆସିବେ ଜେଲେନସ୍କି, ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବେ ମୋଦୀ!
ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିବେ ପୁଟିନ୍।
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଭାରତ ଗସ୍ତରେ ଆସିପାରନ୍ତି। ଏନେଇ ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ ଏହାକୁ ନିଶ୍ଚିତ କରିଛନ୍ତି।
ପୋଲିଶଚୁକ୍ କହିଛନ୍ତି ଯେ ତାରିଖ ସ୍ଥିର କରିବା ପାଇଁ ଆଲୋଚନା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଅଗଷ୍ଟରେ ୟୁକ୍ରେନ ଗସ୍ତ କରିଥିଲେ। ଏହି ସମୟରେ ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଥିଲା। ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।
ପୋଲିଶଚୁକ୍ କହିଛନ୍ତି, ଭାରତ ଏବଂ ୟୁକ୍ରେନ ମଧ୍ୟରେ ଭବିଷ୍ୟତରେ ରଣନୈତିକ ସହଭାଗୀତାର ସମ୍ଭାବନା ରହିଛି। ଭାରତର ପ୍ରଧାନମନ୍ତ୍ରୀ ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।
ଉଭୟ ପକ୍ଷ ଏହା ଉପରେ କାମ କରୁଛନ୍ତି। ଆଶା କରାଯାଉଛି ଯେ ରାଷ୍ଟ୍ରପତି ଜେଲେନ୍ସକି ନିଶ୍ଚିତ ଭାବରେ ଭାରତ ଆସିବେ। ଏହା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ପ୍ରମୁଖ ସଫଳତା ହେବ। ଏନେଇ ତାରିଖ ଫାଇନାଲ୍ ହେବା ଉପରେ କାମ ଚାଲିଛି।
ଚଳିତ ବର୍ଷ ଭାରତ ଆସିବେ ପୁଟିନ: ଚଳିତ ବର୍ଷର ଶେଷ ସପ୍ତାହରେ ରୁଷ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଆସିବେ। ରୁଷୀୟ ନ୍ୟୁଜ୍ ଏଜେନ୍ସି TASS NSA ଅଜିତ ଡୋଭାଲଙ୍କ ଉଦ୍ଧୃତି ଦେଇ ଏହି ସୂଚନା ଦେଇଛି।
ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ଉତ୍ତେଜନା ଲାଗି ରହିଛି। ଏପରି ପରିସ୍ଥିତିରେ ପୁଟିନଙ୍କ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି, ଯେଉଁଥିରେ ୨୫% ଶୁଳ୍କ ଦଣ୍ଡ ସ୍ୱରୂପ ଲାଗୁ କରାଯାଇଛି। ରୁଷରୁ ତେଲ କିଣିବା କାରଣରୁ ଭାରତ ଉପରେ ଏହି ଦଣ୍ଡ ଲାଗୁ କରାଯାଇଛି।