fbpx

ଆଉ ଦୁଇ ଦିନର ଅପେକ୍ଷା: ରାଜଧାନୀରେ ଦେଖାଯିବନି କାହାର ଛାଇ, ଜାଣନ୍ତୁ କ’ଣ କହୁଛନ୍ତି ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ ସହରରେ ପାଖାପାଖି ୧ ମିନିଟ୍ ଓ ୩୦ ସେକେଣ୍ଡ ପର୍ଯ୍ୟନ୍ତ କାହାର ଛାଇ ଦେଖାଯାଇ ନଥିଲା । ଦିନ ୧୨.୧୭ ସମୟରେ ଲୋକମାନେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇଥିଲେ ।

ତେବେ ସବୁଠାରୁ ଖୁସିର କଥା ହେଉଛି ଓଡ଼ିଶାବାସୀଙ୍କ ସହିତ ମଧ୍ୟ ଏପରି କିଛି ଘଟିବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଖୁବଶୀଘ୍ର ଦେଖିବାକୁ ମିଳିବ ଜିରୋ ଶ୍ୟାଡୋ ଡେ ବା ଶୂନ୍ୟ ଛାୟା ଦିନ । ଚଳିତ ମାସ ୨୧ ତାରିଖରେ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଶୂନ୍ୟ ଛାୟା ଦିନ । ଏହାପରେ ଜୁନ ମାସ ୨୨ ତାରିଖରେ ବାରିପଦାରେ ଏହା ଦୃଶ୍ୟମାନ ହେବ । ଏ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଦିନ ବିତିବା ସହିତ ସମୟାନୁସାରେ ଅକ୍ଷାଂଶ ଧୀରେଧୀରେ ବଢ଼ିବାକୁ ଲାଗିଥାଏ । ଉତ୍ତରାୟନ ଓ ଦକ୍ଷିଣାୟନ ପାଇଁ ବର୍ଷକୁ ଆମେ ଦୁଇଥର ଶୂନ୍ୟ ଛାୟା ଦିବସ ପାଳନ କରିଥାଉ । ଏହା ଗୋଟିଏ ଅଞ୍ଚଳରେ ଏକା ଥରକେ ଦେଖାନଯାଇ ଅଲଗା ଅଲଗା ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଦେଖାଯାଇଥାଏ ।

ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ପ୍ରତ୍ୟେକ ଦିନ ଅସ୍ତ ହେଉଥିଲେ ହେଁ ସୂର୍ଯ୍ୟ ପ୍ରତ୍ୟେକ ଦିନ ଅଲଗା ଅଲଗା ସ୍ଥାନରୁ ଉଦୟ ହୋଇଥାନ୍ତି । ଯେହେତୁ ଆମର ପୃଥିବୀ ତା’ର ଅକ୍ଷ ସହିତ ୨୩.୫ ଡିଗ୍ରୀରେ ଢଳି ରହିଛି ତେଣୁ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିଲା ବେଳେ ସୂର୍ଯ୍ୟ କିଛିଦିନ ପାଇଁ ଉତ୍ତର ଦିଗରେ ଓ ଆଉ କିଛିଦିନ ପାଇଁ ଦକ୍ଷିଣ ଦିଗରେ ଉଦୟ ହେବା ଭଳି ଜଣାପଡ଼େ ।

ପୃଥିବୀର ମଧ୍ୟଭାଗରେ ବିଷୁବରେଖା ରହିଥିବା ବେଳେ ତା’ର ୨୩ ଡିଗ୍ରୀ ଉପରକୁ ରହିଛି କର୍କଟକ୍ରାନ୍ତି ଓ ମକରକ୍ରାନ୍ତି । ଉକ୍ତ ୨୩ ଡିଗ୍ରୀ ମଧ୍ୟରେ ଯେଉଁ ଅଞ୍ଚଳ ରହିଥାଏ, ବର୍ଷର ଏପରି ୨ ଦିନରେ ସୂର୍ଯ୍ୟ ଅପରାହ୍ଣରେ ଠିକ୍ ଆମର ମୁଣ୍ଡ ଉପରେ ରହିଥାଏ । ସୂର୍ଯ୍ୟ ମୁଣ୍ଡ ଉପରେ ରହିବା ଫଳରେ ଛାଇ ଆଦୌ ଦେଖାଯାଏ ନାହିଁ, ଫଳରେ ଶୂନ୍ୟ ଛାୟା ଦିବସ ହୋଇଥାଏ । ତେବେ ଶୂନ୍ୟ ଛାୟା ଦିବସକୁ ଅନୁଭବ କରିବାକୁ ହେଲେ ରାଜଧାନୀ ବାସୀଙ୍କୁ ଆଉ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.