ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୮ରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ନଭେମ୍ବର ୩ ତାରିଖ ଯାଏଁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନସାଧାରଣଙ୍କୁ ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ ହେବା ସହ ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ପ୍ରଥମ ଦିନରେ କହିଛନ୍ତି କି, ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ଦୁର୍ନୀତିକୁ ନେଇ କୌଣସି ସାଲିସ କରାଯିବ ନାହିଁ । ସ୍ୱଚ୍ଛ ଶାସନ, ତୁରନ୍ତ ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ, ଉତ୍ତରଦାୟିତ୍ୱ ସହିତ ସାମାଜିକ ନ୍ୟାୟ, ସମାବେଶୀ ଶାସନ ଉପରେ ବିଜେପି ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସରକାର ଉଭୟ ଟପ ଡାଉନ ଓ ବଟମ ଅପ ମଡେଲ କାର୍ଯ୍ୟକାରୀ କରୁଥିବା କହିଛନ୍ତି ମୋହନ ମାଝୀ ।

ଏହି ଅସରରେ ସେ ରାଜ୍ୟର ଦୁର୍ନୀତି ନିବାରଣ ବିଭାଗକୁ ଦୁର୍ନୀତି ବିରୋଧରେ ସେମାନଙ୍କ ଉକ୍ରର୍ସ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ରାଜ୍ୟରୁ ବା ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ବ୍ୟାପକ ଓ ସମନ୍ୱିତ ଉଦ୍ୟମର ଆବଶ୍ୟକତା ରହିଛି । ଏଥିସହ ଏହି ଅଭିଯାନରେ ସବୁ ବର୍ଗର ଅକୁଣ୍ଠ ସମର୍ଥନ ଓ ସହଯୋଗର ଆବଶ୍ୟକତା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏହି ଅବସରରେ ସେ ଏକ ବିକଶିତ ତଥା ଦୁର୍ନୀତିମୁକ୍ତ ସମୃଦ୍ଧ ଓଡିଶା ଗଠନ ପାଇଁ ସତ୍ୟନିଷ୍ଠ ସଂସ୍କୃତିକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି ।