fbpx

ଚାଲିଲାନି ସିକନ୍ଦର ରଜାଙ୍କ ରାଜୁତି: ଶତକ ପରେ ବି ୧୩ ରନ ପଛରେ ରହିଗଲା ଜିମ୍ବାୱେ

ନୂଆଦିଲ୍ଲୀ: ଜିମ୍ବାୱେ-ଭାରତ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଛି । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଟିମ ଇଣ୍ଡିଆର କମାଲରେ ଭାରତ ଜିମ୍ବାୱେକୁ ଧୂଳିସାତ୍ କରି ଦେଇଛି । ସେପଟେ ସିକନ୍ଦର ରଜାଙ୍କ ଦମଦାର ଶତକ ମଧ୍ୟ ଭାରତର ବୋଲିଂ ଆଗରେ ଫେଲ ମାରିଛି । ଫଳରେ ଏହି ମ୍ୟାଚକୁ ୧୩ ରନରେ କବଜା କରିବା ସହିତ ସିରିଜକୁ ୩-୦ରେ କ୍ଲିନ ସ୍ୱିପ କରିଛି ରାହୁଲ ସେନା ।

ଭାରତର ୨୯୦ ଲକ୍ଷ୍ୟକୁ ପିଛା କରି ସଅଳ ୱିକେଟ ହରାଇଥିଲା ଜିମ୍ବାୱେ । ତୃତୀୟ ଓଭରରେ ହିଁ ଓପନର ଇନୋସେଣ୍ଟ କାୟାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଭାରତର ଷ୍ଟାର ବୋଲର ଦୀପକ ଚହର । ଏହାପରେ ଅନ୍ୟତମ ଓପନର କାଇତାନୋ ଆହତ ହୋଇ ଫେରିଯାଇଥିଲେ । ଯାହାପରେ ଘରୋଇ ଦଳ ଉପରେ ଭାରୀ ପଡିଥିଲେ ଭାରତର ବୋଲର । କିନ୍ତୁ ଜିମ୍ବାୱେର ସିକନ୍ଦର ରଜା ଟିମ ଇଣ୍ଡିଆର ବୋଲରଙ୍କ ଅଡୁଆରେ ପକାଇ ଦେଇଥିଲେ । ୯୫ ବଲରୁ ୯ଟି ଚୌକା ଏବଂ ୩ଟି ଛକା ସହ ୧୧୫ ରନର ଏକ ଧୂଆଁଦାର ପାଳି ଖେଳିଥିଲେ ସିକନ୍ଦର । କିନ୍ତୁ ଅନ୍ୟ କୌଣସି ଖେଳାଳିଙ୍କ ସାଥ ନ ମିଳିବାରୁ ଜିମ୍ବାୱେ ଏହି ମ୍ୟାଚକୁ ବି ହାତଛଡା କରି ଦେଇଛି ।

ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ଜବରଦସ୍ତ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଆଭେଶ ଖାନ । ଏହି ମ୍ୟାଚରେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରି ସେ ପୁଣି ଥରେ ଟିମରେ ସ୍ଥାନ ପକ୍କା କରିବାର ଦାବିଦାର ପାଲଟିଛନ୍ତି । ସେହିପରି ଦୀପକ ଚହର, କୁଳଦୀପ ଯାଦବ ଏବଂ ଅକ୍ସର ପଟେଲ ୨ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ତେବେ ଶାର୍ଦ୍ଦୁଳ ଠାକୁର କେବଳ ସିକନ୍ଦର ରଜାଙ୍କୁ ଶିକାର କରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.