ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ମିଳିବା ପଛର ୧୦ଟି ବଡ଼ ରହସ୍ୟ: ମହାରାଷ୍ଟ୍ରରେ ବିଜେପି କାହିଁକି ଲାଗୁ କଲାନି ଏମପି-ରାଜସ୍ଥାନ-ହରିୟାଣା ଫର୍ମୂଲା?
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜେପିର ଆଗଧାଡ଼ିର ନେତା ଦେବେନ୍ଦ୍ର ଫଡନାବିସ । ଫଡନାବିସଙ୍କୁ ବିଧାୟକ ଦଳ ନେତା ଭାବେ ଘୋଷଣା କରାଯିବା ପରେ ପାଖାପାଖି ୨ ସପ୍ତାହର ସସପେନ୍ସ ଉପରୁ ପରଦା ହଟିଛି । ଶିବସେନାର ଏକନାଥ ଶିନ୍ଦେ ଓ ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ବିଜେପି ପୁରୁଣା ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ହଟାଇ ନୂଆ ପ୍ରାର୍ଥୀଙ୍କୁ ସିଏମ୍ ଗାଦିରେ ବସାଇଥିଲା । ତେଣୁ ସେହି ପୁରୁଣା ଫର୍ମୂଲା ମହାରାଷ୍ଟ୍ରରେ ବିଜେପି କାହିଁକି ଲାଗୁ କଲାନି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଫଡନାବିସଙ୍କ ନାମରେ ମୋହର ମାରିବା ପଛରେ ରହିଛି ୧୦ଟି ବଡ଼ କାରଣ ।
୧- ଫଡନାବିସ ଏହା ପୂର୍ବରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୯ରେ ସେ ଦ୍ୱିତୀୟ ଥର ସିଏମ୍ ଭାବେ ଶପଥ ଗ୍ରହଣ କରିଥିଲେ, ମାତ୍ର ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେ ୬ ଥର ବିଧାୟକ ଭାବେ ଜିତିଥିବା ବେଳେ ନାଗପୁର ନଗର ନିଗମର ମେୟର ମଧ୍ୟ ଥିଲେ ।
୨- ୨୦୧୯ରେ ଫଡନାବିସଙ୍କୁ ଅସଲ ରାଜନୈତିକ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୨୦୧୯ରେ ଉଦ୍ଧବ ଠାକରେ ଏନଡିଏ ହାତ ଛାଡ଼ିବା ପରେ ବିଜେପି ସରକାରର ପତ୍ତନ ଘଟିଥିଲା । ସମୟକ୍ରମେ ଫଡନାବିସ ପୁଣି ଥରେ ବିଜେପିକୁ କ୍ଷମତାସୀନ କରାଇବାରେ ସଫଳ ହୋଇଥିଲେ ।
୩- ମହାରାଷ୍ଟ୍ର ରାଜନୀତିରେ ଫଡନାବିସ୍ ବିଜେପି ପାଇଁ ଏକ ଟାଣୁଆ ଚେହେରା ହୋଇଥିବା ବେଳେ ସେଠାରେ ନୂଆ ଚେହେରାଙ୍କୁ ବାଜି ଲଗାଇବା ମୁସ୍କିଲ ହୋଇପାରେ ବୋଲି ବିଜେପି ହାଇକମାଣ୍ଡଙ୍କ ହୃଦବୋଧ ହୋଇଥିଲା । ଫଡନାବିସ ବିକଳ୍ପ ଅନ୍ୟ କେହି ହୋଇପାରିବେ ବୋଲି ବିଜେପି ତାଙ୍କୁ ଆଗକୁ ଆଣିଥିଲା ।
୪- ୨୦୨୨ରେ ଶିବସେନାର ବିଭାଜନ ପରେ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀକୁ ନେଇ ସରକାର ଗଠନ କରିବା ଫଡନାବିସଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା । ସେ ନିଜକୁ ପଛରେ ରଖି ଏନଡିଏ ସରକାର ଗଠନ ପାଇଁ ବିଧାୟକଙ୍କୁ ଏକତ୍ର ସୂତ୍ରରେ ବାନ୍ଧିବାରେ ସକ୍ଷମ ହୋଇଥିଲେ ।
୫- ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଫଡନାବିସ ବିରୋଧୀ ଆସନରେ ବସିଥିଲେ । କରୋନା କାଳରେ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ଫଡନାବିସ ଖୋଲାଖୋଲି ଭାବେ ମୋର୍ଚ୍ଚା ଖୋଲିଥିଲେ । ସେ ଯେ ରାଜ୍ୟ ବିଜେପିର ସର୍ବମାନ୍ୟ ନେତା ଏହା ସେ ସମୟକ୍ରମେ କାମରେ କରିକି ଦେଖାଇଥିଲେ । ତେଣୁ ବିଜେପି ତାଙ୍କୁ ଅଣଦେଖା କରିବା ଅସମ୍ଭବ ହୋଇପଡ଼ିଥିଲା ।
୬- ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୧୦୫ଟି ଆସନରେ ଜିତିଥିବା ବେଳେ ୨୦୨୪ରେ ୧୩୨ଟି ଆସନ ପାଇଥିଲା । ଏହାଫଳରେ ମେଣ୍ଟର ସହଯୋଗୀ ଦଳମାନେ ବିଜେପି ଉପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାପ ପକାଇ ପାରଇନଥିଲେ ।
୭- ଫଡନାବିସଙ୍କୁ ଡେପୁଟି ସିଏମ୍ ଦାୟିତ୍ୱ କଥା କୁହାଯିବାରୁ ସେ ତାହାକୁ ସଙ୍ଗେସଙ୍ଗେ ଗ୍ରହଣ କରିନେଇଥିଲେ । ଫଳରେ ତାହା ତାଙ୍କର ବିଚକ୍ଷଣ ରାଜନୀତିର ପରିଚୟ ଦେଇଥିଲା ଓ ଶିନ୍ଦେ ଡେପୁଟି ସିଏମ୍ ବନିଯାଇଥିଲେ ।
୮- ଚଳିତ ବିଧାନସଭା ନିର୍ବାଚନରେ ମେଣ୍ଟ ଦଳ ଭିତରେ ଆସନ ବୁଝାମଣା ଏକ ବଡ଼ ଚ୍ୟାଲେଞ୍ଜ ରହିଥିବା ବେଳେ ଫଡନାବିସ ସବୁ ସମସ୍ୟାର ପନ୍ଥା ବାହାର କରିବାରେ ସଫଳ ହୋଇଥିଲେ । ଫଳରେ ରାଜ୍ୟରେ ମହାବିକାଶ ଅଘାଡ଼ୀ ମାତ୍ର ୪୯ଟି ଆସନରେ ନୀତିତ ହୋଇ ରହିଯାଇଥିଲା ।
୯- ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୯ଟି ଆସନ ଜିତିଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ବିଧାନସଭାରେ ଦଳ ଗେମକୁ ଚେଞ୍ଜ କରିଦେଇଥିଲା । ରାଜ୍ୟ ସରକାରଙ୍କ କିଛି ଯୋଜନାର ସୁଫଳ ଜନତାଙ୍କୁ ଦଳ ପ୍ରତି ଆକୃଷ୍ଟ କରିଥିଲା ।
୧୦- ଗତବର୍ଷ ଜୁଲାଇରେ ଅଜିତ ପାୱାରଙ୍କୁ ୪୨ ବିଧାୟକ ଏନଡିଏରେ ମିଶିବା ପରେ କ୍ଷମତା ଶେୟାରିଂର ଫର୍ମୂଲା ବାହାର କରିଥିଲେ ଫଡନାବିସ । ଅଜିତଙ୍କ ୯ ଜଣ ବିଧାୟକଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ବିଜେପି ଓ ଶିବସେନାର କୌଣସି ମନ୍ତ୍ରୀଙ୍କର ଛୁଟି କରାଯାଇଥିଲା । ମହାରାଷ୍ଟ୍ର ମେଣ୍ଟ ରାଜନୀତିକୁ ସଫଳ କରିବାର ପ୍ରମୁଖ ବିନ୍ଧାଣୀ ଥିଲେ ଫଡନାବିସ ।