ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଲଜ୍ଜାଜନକ ଭାବେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପ୍ରଥମ ଇନିଂସରେ ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ଦୃଷ୍ଟିରୁ ଆଗରେ ରହିଥିବା ଭାରତ ଦ୍ୱିତୀୟ ଇନିଂସରେ କିପରି ମାତ୍ ଖାଇଲା ତାହା ଏବେ ପ୍ରଶଂସକଙ୍କୁ ଚକିତ କରିଦେଇଛି । ଇଂଲଣ୍ଡକୁ ସ୍ପିନ ଜାଲରେ ଘାଇଲା କରିବା ଲକ୍ଷ୍ୟରେ ରହିଥିବା ଘରୋଇ ଦଳ ଏବେ ନିଜ ଜାଲରେ ନିଜେ ଫସି ଯାଇଛି । ଅନେକ ଭୁଲ୍ କାରଣରୁ ଭାରତ ଜିତିବା ମ୍ୟାଚକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଛି ।
ହାରିବାର କାରଣଗୁଡ଼ିକ କ’ଣ:
୧- ମ୍ୟାଚର ପ୍ରଥମ ଦିନରେ ଭାରତୀୟ ସ୍ପିନରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ୨୪୬ରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଦିନରେ ଭାରତ ୧ ୱିକେଟ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ଦିନରେ ଖେଳ ଜାରି ରଖିବା ପରେ ତୃତୀୟ ଦିନରେ ଭାରତ ୪୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।
୨- ତୃତୀୟ ଦିନରେ ଭାରତ ୧୯୦ ରନରେ ଅଗ୍ରଣୀ ରହିଥିବା ବେଳେ ଭାରତର ଜିତିବା ସମ୍ଭାବନା ବଢ଼ିଯାଇଥିଲା । ତେବେ ତା’ପରେ ଭାରତର ଦୁର୍ବଳ ବୋଲିଂ କାରଣରୁ ଇଂଲଣ୍ଡର ଆଧିପତ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଅଧିନାୟକ ଓଲି ପୋପ୍ ୧୧୦ ରନ୍ ସଂଗ୍ରହ କରିଥିବା ସମୟରେ ଅକ୍ଷର ପଟେଲ ଏକ କ୍ୟାଚ ଛାଡ଼ିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା ।
୩- ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬ ୱିକେଟ ହରାଇ ୩୧୬ ରନ୍ ସଂଗ୍ରହ କରିଥିଲା । ଓଲି ପୋପ୍ ୧୪୮ ରନରେ ଅପରାଜିତ ରହିଥିଲେ । ଫଳରେ ଭାରତ ୧୨୬ ରନରେ ପଛରେ ପଡ଼ିଯାଇଥିଲା । ତୃତୀୟ ଓ ଚତୁର୍ଥ ଦିନରେ ଭାରତର ଦୁର୍ବଳ ବୋଲିଂ ପଦାରେ ପଡ଼ିଥିଲା ।
୪- ତେବେ ଚତୁର୍ଥ ଦିନରେ ଓଲିଙ୍କୁ ଭାରତୀୟ ବୋଲରମାନେ ଆଉଟ୍ କରିବାରେ ଅକ୍ଷମ ହୋଇଥିଲେ । ଫଳରେ ସେ ୧୯୬ ରନର ଏକ ବଡ଼ ଇନିଂସ ଖେଳି ଇଂଲଣ୍ଡର ସ୍ଥିତି ମଜବୁତ କରିପାରିଥିଲେ । ଓଲିଙ୍କୁ ଇଂଲଣ୍ଡର ବୋଲରମାନେ ସହଯୋଗ କରିଥିବା ବେଳେ ଭାରତ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ଅକ୍ଷମ ହୋଇଥିଲା ।
୫- ତୃତୀୟ ଦିନରେ ଇଂଲଣ୍ଡ ହାତରେ ଆଉ ମାତ୍ର ୪ଟି ୱିକେଟ ରହିଥିବା ବେଳେ ଚତୁର୍ଥ ଦିନରେ ସେହି ୱିକେଟରେ ଇଂଲଣ୍ଡ ୧୦୪ ରନ୍ ଯୋଡ଼ି ପାରିଥିଲା । ଫଳରେ ଇଂଲଣ୍ଡର ସ୍କୋର ୪୨୦ରେ ପହଞ୍ଚି ଯାଇଥିଲା ଓ ଭାରତ ନିକଟରେ ଜିତିବାକୁ ୨୩୧ ରନ ଆବଶ୍ୟକ ପଡ଼ିଥିଲା ।
୬- ଦ୍ୱିତୀୟ ଇନିଂସରେ ଭାରତ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ଚତୁର୍ଥ ଦିନର ବ୍ୟାଟିଂରେ ମଧ୍ୟରେ ମଧ୍ୟ ଅଧିକାଂଶ ଭାରତୀୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ଦଳର କୌଣସି ବ୍ୟାଟ୍ସମ୍ୟାନ ୪୦ ରନ୍ ଟପିପାରିନଥିଲେ ।
୭- ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୩୯ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ସମସ୍ତ ଖେଳାଳିଙ୍କ ସ୍କୋର ୩୦ ତଳେ ରହିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଦଳକୁ ନିଶ୍ଚିତ ବିଜୟରୁ ବଞ୍ଚିତ କରିଥିଲା । ଇଂଲଣ୍ଡ ବୋଲର ପୋପେ ହାର୍ଟଲେ ୭ ୱିକେଟ ଅକ୍ତିଆର କରି ଭାରତୀୟ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ।
୮- ପ୍ରଥମ ଇନିଂରେ ଭାରତ ଭଲ ସ୍ଥିତିରେ ରହିଥିବା ବେଳେ ଦ୍ୱିତୀୟ ଇନିଂସ ବେଳକୁ ଦଳର ଖେଳାଳିମାନେ ଖାମଖିଆଲି ଭାବେ ଖେଳିଥିବା ମନେହୋଇଥିଲା । । ମାତ୍ର ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିବା ଭୁଲକୁ ଦ୍ୱିତୀୟ ଇନିଂସରେ ସୁଧାରି ନେଇଥିଲା ।
୯- ଦ୍ୱିତୀୟ ଇନିଂସରେ ୧୬୩ ରନରେ ପାଞ୍ଚଟି ୱିକେଟ ହରାଇ ଇଂଲଣ୍ଡ ସଂଘର୍ଷ କରୁଥିବା ବେଳେ ବେନ୍ ଫୋକସ ଓଲିଙ୍କ ସହ ମିଶି ୧୧୨ ରନ୍ ଯୋଡ଼ିଥିଲେ । ଏହାପରେ ବି ଓଲି ହାର ନମାନି ଏକ ବଡ଼ ଇନିଂସ ଖେଳି ଏକାକୀ ସଂଘର୍ଷ କରି ଦଳୀୟ ସ୍କୋର ୪୦୦ ଅତିକ୍ରମ କରାଇଥିଲେ ।
୧୦- ପ୍ରଥମ ଦୁଇଦିନ ମ୍ୟାଚ ଭାରତ ନିକଟରେ ରହିଥିବା ବେଳେ ତୃତୀୟ ଦିନ ଶେଷ ଆଡ଼କୁ ଓ ଚତୁର୍ଥ ଦିନ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ଅଧିନାୟକ ରୋହିତ (୨୪, ୩୯), ଶୁବମାନ ଗିଲ (୨୩, ୦), ଶ୍ରେୟସ ଆୟର (୩୫, ୧୩) ରନ୍ ସଂଗ୍ରହ କରିଥିଲେ । କିଛି ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଦଳର ପରାଜୟର ମଧ୍ୟ ଅନ୍ୟତମ କାରଣ ସାଜିଥିଲା ।