fbpx

ନିରାଶ ସାରା ଭାରତ: ଟିମ୍ ଇଣ୍ଡିଆର ପରାଜୟ ପଛର ୧୦ଟି ବଡ଼ କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ସ୍ୱପ୍ନ ଚୁରମାର ହୋଇଯାଇଛି । ଦୀର୍ଘ ୧୨ ବର୍ଷ ପରେ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟରୁ ଅଳ୍ପକେ ବଞ୍ଚିତ ହୋଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୨୪୧ ରନର ଟାର୍ଗେଟ ଦେଇଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପରାଜୟ ପରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ନିସ୍ତବ୍ଧ ପାଲଟି ଯାଇଥିଲେ । ତେବେ ଚଳିତ ବିଶ୍ୱକପରେ ଭାରତର ପରାଜୟର କାରଣ କ’ଣ ତାହା ଉପରେ ଟିକେ ନଜର ପକାଇବା ।

୧- ଟସ୍ ଜିତି ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଏହା ପଛରେ କଙ୍ଗାରୁର ଏକ ବଡ଼ ରଣନୀତି ରହିଥିଲା ଯାହାକୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସହଜରେ ବୁଝି ପାରିନଥିଲେ ।

୨- ଚଳିତ ବିଶ୍ୱକପରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ, ଆଫଗାନିସ୍ତାନ ପରାସ୍ତ ହୋଇଥିବା ବେଳେ କେବଳ ଅଷ୍ଟ୍ରେଲିଆ ଜିତିଥିଲା । ଗତ ୪ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୮୬ ରନରେ ଅଲଆଉଟ୍ ହୋଇଥିଲେ ହେଁ ଫାଇନାଲରେ ଚତୁରତାର ସହିତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।

୩- ଫାଇନାଲ ପରି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଅଧିନାୟକ ରୋହିତ ସେପରି କିଛି ରଣନୀତି ପ୍ରସ୍ତୁତ କରିଥିବା ଭଳି ମନେହୋଇ ନଥିଲା । ସେ ନିଜର ପୁରୁଣା ଷ୍ଟାଇଲରେ କେବଳ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ମନେହୋଇଥିଲା ।

୪- ଫାଇନାଲରେ ଭାରତୀୟ ବୋଲରମାନେ ରନ୍ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ବିଗତ ମ୍ୟାଚଗୁଡ଼ିକ ପରି ଫାଇନାଲରେ ଭାରତୀୟ ବୋଲରଙ୍କ ଯାଦୁ ଚାଲି ନଥିଲା ।

୫- ବିଶ୍ୱକପ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇଥିଲା । ଲିଗ ପର୍ଯ୍ୟାୟରେ ମଧ୍ୟ କଙ୍ଗାରୁକୁ ଭାରତ ହରାଇଥିଲା । ତଥାପି ଫାଇନାଲରେ ଭାରତ ଘରୋଇ ପିଚର ଫାଇଦା ଉଠାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।

୬- ଫାଇନାଲରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଶୁବମନ ଗିଲ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ବଡ଼ ସ୍କୋର କରି ନପାରିବା ଦଳର ବ୍ୟାଟିଂ ବିପର୍ଯ୍ୟୟର ଅନ୍ୟତମ କାରଣ ପାଲଟିଥିଲା ।

୭- ଅଷ୍ଟ୍ରେଲିଆ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ସହିତ ରଣନୀତି ପ୍ରସ୍ତୁତିରେ ଭାରତ ଠାରୁ ଆଗରେ ରହିଥିଲା । ଫଳରେ ୨୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା ।

୮- ଭାରତୀୟ ବ୍ୟାଟ୍ସମ୍ୟାନ ଓ ବୋଲରମାନେ ଅଷ୍ଟ୍ରେଲିଆ ବୋଲରଙ୍କ ବଲକୁ ବୁଝି ପାରିନଥିଲେ । ମାତ୍ର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ସହଜରେ ପିଟି ଚାଲିଥିଲେ । ଏପରିକି ଭାରତୀୟ ବୋଲରମାନେ ପ୍ରତିପକ୍ଷଙ୍କ ୱିକେଟ ନେବାରେ ଅକ୍ଷମ ହୋଇଥିଲେ । ଏହା ଥିଲା ଦୁଇ ଟିମ୍ ମଧ୍ୟରେ ବଡ଼ ତଫାତ୍ ।

୯- ରୋହିତ ଓ ବିରାଟଙ୍କୁ ଛାଡ଼ିଦେଲେ ଟିମରେ ରହିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ଚଳିତ ବିଶ୍ୱକପରେ ସେପରି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ଫଳରେ ପ୍ରଥମରୁ ସମସ୍ତ ମ୍ୟାଚ ଜିତି ଭାରତ ଫାଇନାଲରେ ହାରି ଅଳ୍ପକେ ବିଶ୍ୱ ବିଜେତା ହେବାରୁ ସୌଭାଗ୍ୟରୁ ବଞ୍ଚିତ ହୋଇଥିଲା ।

୧୦- ଟିମର ପ୍ରତ୍ୟେକ ଖେଳାଳିଙ୍କର ପ୍ରଦର୍ଶନ ପାଇଁ ହିଁ ଗୋଟିଏ ଟିମ୍ ବିଶ୍ୱ ଚାମ୍ପିୟନ ହୋଇଥାଏ । ବାରମ୍ବାର ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହେଉଛି । ଭାରତ ଭବିଷ୍ୟତରେ ନିଜର ତ୍ରୁଟି ସୁଧାରିବାର ଆବଶ୍ୟକତା ରହିଛି । ଶେଷରେ ଏହା ହିଁ କହିବା ଠିକ୍ ହେବ, ‘ଫାଇନାଲରେ ଭାରତକୁ ଭାଗ୍ୟ ସାଥ୍ ଦେଲାନି ।’

Get real time updates directly on you device, subscribe now.