fbpx

ଭାରତ ହାତରୁ ଖସିଗଲା ବିଶ୍ୱକପ: ଷଷ୍ଠ ଥର ବିଶ୍ୱ ଚମ୍ପିଆନ୍ ହେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ପୁଣି ଏକ ବିଶ୍ୱ ଫାଇନାଲ ଟ୍ରଫି ହାତଛଡ଼ା କରିଛି ଟିମ ଇଣ୍ଡିଆ । ବିଶ୍ୱକପ-୨୦୨୩ ଲିଗ ଷ୍ଟେଜର ସର୍ବଶ୍ରେଷ୍ଠ ଦଳ ଫାଇନାଲରେ ଫେଲ ମାରିଛି । ଏହାସହିତ ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି ଅଷ୍ଟ୍ରେଲିଆ । ୬ ୱିକେଟରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ବିଶ୍ୱବିଜେତା ପାଲଟିଛି ୟେଲୋ ଆର୍ମି । ଆଗାମୀ ୪ ବର୍ଷ ପାଇଁ ବିଶ୍ୱବିଜୟୀ ଭାବରେ ପରିଚୟ ପାଇଛି କମିନ୍ସ ସେନା ।

୨୦୦୩ ବିଶ୍ୱକପ ରେକର୍ଡକୁ ପୁଣିଥରେ ଦୋହରାଇଛି ଅଷ୍ଟ୍ରେଲିଆ । ଗାଙ୍ଗୁଲିଙ୍କ ପରେ ରୋହିତ ସେନାଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ହାତରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୪୪ ଦିନ ଏବଂ ୪୭ଟି ମ୍ୟାଚର ଯାତ୍ରା ପରେ ଶେଷରେ ଟ୍ରଫି ବିନା ଫେରିଆସିଛି ଟିମ ଇଣ୍ଡିଆ । ଦ୍ୱିତୀୟ ଥର ପାଇଁ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାଜୟ କରି ବିଶ୍ୱ ଚମ୍ପିଆନର ମୁକୁଟ ପିନ୍ଧିବାରେ ସଫଳ ହୋଇଛି । ଚଳିତ ବିଶ୍ୱକପରେ ଭାରତର ଅପରାଜୟ ଧାରାକୁ ଭାଙ୍ଗି ବିଶ୍ୱକପ ହାତେଇ ନେଇଛି ଅଷ୍ଟ୍ରେଲିଆ । ଭାରତର ୨୪୧ ରନ୍ ଟାର୍ଗେଟକୁ ୭ ଓଭର ବାକି ଥାଇ ହାସଲ କରିବା ସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଉଠାଇଛି । ଭାରତର ଏହି ରନ୍ କୁ ପିଛା କରୁଥିବା ବେଳେ ଅଷ୍ଟ୍ରେଲିଆର କେବଳ ଟ୍ରାଭିସ ହେଡ ହିଁ ଭାରତ ଉପରେ ଭାରି ପଡ଼ିଛନ୍ତି । ଟ୍ରାଭିସଙ୍କ ଶତକ ପରେ ଲାବୁସେନଙ୍କ ଅର୍ଦ୍ଧଶତକ ଭାରତର ବିଶ୍ୱକପ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି ।

ବ୍ୟାଟିଂ ପରେ ଭାରତର ବୋଲିଂ ୟୁନିଟ ମଧ୍ୟ ଅଷ୍ଟ୍ରେଲିଆ ଆଗରେ ଫେଲ ମାରିଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବ୍ୟାଟ ଏବଂ ବଲରେ କମାଲ କରିଥିବା ଟିମ ଇଣ୍ଡିଆ ଫାଇନାଲ ମ୍ୟାଚରେ ହିଁ ବିଫଳ ହୋଇଛି । ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ମାତ୍ର ୨୪୦ ରନର ଟାର୍ଗେଟ ଦେଇଥିବା ବେଳେ ବୋଲିଂରେ ମଧ୍ୟ ଜଲୱା ଦେଖାଇ ପାରିନାହାନ୍ତି ବୋଲିଂ ୟୁନିଟ । ବିଶ୍ୱକପ-୨୦୨୩ର ସର୍ବଶ୍ରେଷ୍ଠ ବୋଲର ମହମ୍ମଦ ଶାମୀ ମଧ୍ୟ ୱିକେଟ ନେବାରେ ଅସମର୍ଥ ହୋଇ ନାହାନ୍ତି । ୭ ଓଭରରେ ୪୭ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ ନେଇଛନ୍ତି ଶାମୀ । ତେବେ ବୁମରାହ ୨ଟି ୱିକେଟ ନେଇଥିବା ବେଳେ ସିରାଜ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି ।

କିନ୍ତୁ ୨୪୧ରନ୍ ଲକ୍ଷ୍ୟର ପିଛା କରି ଓପନର ଟ୍ରାଭିସ ହେଡ୍ ୧୩୭ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହି ଇନିଂସରେ ୧୫ଟି ଚୌକା ସହ ୪ଟି ଛକା ସାମିଲ ରହିଛି । ଏହାବ୍ୟତୀତ ଷ୍ଟାର ବ୍ୟାଟର ମାର୍ନସ ଲାବୁସେନଙ୍କ ଅର୍ଦ୍ଧଶତକ(୫୮) ଭାରତ ହାତରୁ ବିଶ୍ୱକପ ଛଡ଼ାଇ ନେବାରେ ସଫଳ ହୋଇଛନ୍ତି । ଚଳିତ ବିଶ୍ୱକପରେ ସେମି ଫାଇନାଲ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ ବିଜୟୀ ହୋଇଥିବା ବେଳେ ଫାଇନାଲ ମ୍ୟାଚରେ ପରାସ୍ତ ହୋଇ ଟ୍ରଫି ହରାଇଛି ରୋହିତ ସେନା । ଏହି ବିଜୟ ସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଚମ୍ପିଆନ୍ ପାଲଟିଛି ।

Get real time updates directly on you device, subscribe now.