fbpx

‘୨୪୧’ ରନ୍ ଟାର୍ଗେଟ ଭାଙ୍ଗିଦେଲା ୧୪୦ କୋଟି ଭାରତୀୟଙ୍କ ହୃଦୟ: ଲଢ଼ିଲା ଟିମ୍ ଇଣ୍ଡିଆ, ମାତ୍ର ହାତ ଛାଡ଼ିଦେଲା ଭାଗ୍ୟ

ନୂଆଦିଲ୍ଲୀ: ସବୁ ସରିଯାଇଛି । ନିଜ ମାଟିରେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ଭାରତର ବିଶ୍ୱ ଚାମ୍ପିୟନ ସ୍ୱପ୍ନ ଚୁରମାର ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଦେଇଥିବା ‘୨୪୧’ ରନର ଟାର୍ଗେଟ ଆଜି ୧୪୦ କୋଟି ଭାରତୀୟଙ୍କ ମନରେ ଅଶ୍ରୁ ଭରି ଦେଇଛି । ବୋଧହୁଏ ଆଉ ଏପରି ସୁବର୍ଣ୍ଣ ସୁଯୋଗ ଆସିବନି । ବିଶ୍ୱ ଚାମ୍ପିୟନ ହେବା ପାଇଁ ଭାରତକୁ ପୁଣି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିପାରେ ।

ଫାଇନାଲରେ ଭାରତର ପରାଜୟ ପରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଭାରତୀୟଙ୍କ ଆଖିରେ ଲୁହ ଭରି ଯାଇଥିଲା । ସାରା ବିଶ୍ୱକପରେ ଉଚ୍ଚକୋଟୀର ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ଏପରି କ’ଣ ହେଲା ଯେ ସେ ଫାଇନାଲରେ ପରାସ୍ତ ହେଲା, ଏପରି ପ୍ରଶ୍ନ ଏବେ ସଭିଙ୍କ ମନରେ । ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । କ୍ରମାଗତ ୧୦ଟି ମ୍ୟାଚରେ ପରାସ୍ତ ହେବା ପରେ ଭାରତ ଫାଇନାଲରେ ପରାସ୍ତ ହେବ ବୋଲି କୌଣସି ଭାରତୀୟ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବେ ।

ତେବେ ଭାରତର ପରାଜୟକୁ ନେଇ ଅନେକ ପ୍ରଶଂସକ ଓ ସମାଲୋଚକ ଅନେକ କଥା କହିବେ । ମାତ୍ର ଏହାକୁ ଆମକୁ ମାନିବାକୁ ହେବ ଯେ ଟିମ୍ ଇଣ୍ଡିଆ ଲଢ଼େଇ କରି ପରାସ୍ତ ହେଲା । ଯଦି ଟିମ୍ ଇଣ୍ଡିଆର ଦକ୍ଷତା ନଥିଲା ତେବେ ଅନ୍ୟ ମ୍ୟାଚଗୁଡ଼ିକରେ ଜିତି ଅପରାଜେୟ ରହିଲା କିପରି? ହାରିବା-ଜିତିବା ଖେଳ ଜୀବନର ଦୁଇଟି ପାଖ । ଏଭଳି ସ୍ଥିତିରେ ଆମକୁ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଯଦି ଫାଇନାଲରେ ଭାଗ୍ୟ ସାଥ ଦେବନି ତେବେ ମଣିଷ କାହାକୁ ଦୋଷ ଦେବ? ଭାରତକୁ ଫାଇନାଲରେ ପହଞ୍ଚାଇଥିବାରୁ ଅଧିନାୟକ ରୋହିତ ଶର୍ମା ଓ ଅନ୍ୟ ସମସ୍ତ ଖେଳାଳିଙ୍କୁ ହୃଦୟରୁ ଧନ୍ୟବାଦ । ଆଗକୁ ଭାରତ ପୁଣି ଅନେକ ଟୁର୍ଣ୍ଣାମେଣ୍ଟ ଜିତିବ । ପରାଜୟରେ ମର୍ମାହତ ନହୋଇ ଟିମ୍ ଇଣ୍ଡିଆ ପୁଣି ଥରେ ଲଢ଼ିବାକୁ ପ୍ରୟାସ କରିବା ଆବଶ୍ୟକ ।

Get real time updates directly on you device, subscribe now.