ନୂଆଦିଲ୍ଲୀ: କେରଳର କୋଝିକୋଡ ଓ ମଲପ୍ପୁରମ ଜିଲ୍ଲାରେ ୱେଷ୍ଟ ନାଇଲ ଭାଇରସ (ଡବ୍ଲ୍ୟୁଏନଭି) ସଂକ୍ରମଣର ଅତିକମରେ ୧୦ଟି ମାମଲା ସାମ୍ନାକୁ ଆସିଛି । ଉତ୍ତର କେରଳର ଦୁଇଟି ଜିଲ୍ଲାରେ ୫-୫ଟି ଲେଖାଏଁ ମାମଲା ସାମ୍ନାକୁ ଆସିଛି । ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ଠିକ୍ ହୋଇଯାଇଥିବା ଅଫିସିଆଲ ଭାବେ କୁହାଯାଇଛି । କୋଝିକୋଡରେ ଜଣେ ରୋଗୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଜ୍ୱରରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିଲେ ହେଁ ସେନେଇ ଅଫିସିଆଲ ଭାବେ କିଛି ବୟାନ ଜାରି କରାଯାଇନାହିଁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଅନୁସାରେ, ଡବ୍ଲ୍ୟୁଏନଭି ସଂକ୍ରମିତ ମଶା କାମୁଡ଼ିଲେ ମଣିଷଙ୍କ ଠାରେ ତାହା ବ୍ୟାପିଥାଏ । ଯେତେବେଳେ ମଶା ସଂକ୍ରମିତ ପକ୍ଷୀଙ୍କୁ ଖାଇଥାଏ, ସେତେବେଳେ ସେମାନେ ମଧ୍ୟ ସଂକମ୍ରିତ ହୋଇଯାଇଥାନ୍ତି । ଫଳରେ ଏହି ଭାଇରସ ମଣିଷ ଓ ଅନ୍ୟ ପଶୁଙ୍କୁ ମଧ୍ୟ ବ୍ୟାପିଥାଏ । ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ଡବ୍ଲ୍ୟୁଏନଭି ଜୀନସ ଫ୍ଲୋବିଭାଇରସର ସଦସ୍ୟ ଅଟେ ଓ ଜାପାନୀ ଏନ୍ସେଫଲାଇଟିସ ଏଣ୍ଟିଜେନିକ ସେରୋକୋମ୍ପଲେକ୍ସ ସହ ସମ୍ବନ୍ଧିତ ଅଟେ ।
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରୋଧ କେନ୍ଦ୍ର (ସିଡିସି) ଅନୁସାରେ, ଡବ୍ଲ୍ୟୁଏନଭିରେ ସଂକ୍ରମିତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମଧ୍ୟରେ ଲକ୍ଷଣ ବିକଶିତ ହୋଇନଥାଏ । ସେମାନେ ଆପେଆପେ ଠିକ୍ ହୋଇ ପାରନ୍ତି । ମାତ୍ର ଅନ୍ୟମାନଙ୍କୁ ବୁଖାର, ମୁଣ୍ଡବ୍ୟଥା, ଗଣ୍ଠି ଯନ୍ତ୍ରଣା, ବାନ୍ତି ଆଦି ଲକ୍ଷଣ ଦେଖାଦେଇଥାଏ । ମାତ୍ର କିଛି କ୍ଷେତ୍ରରେ ଏନ୍ସେଫଲାଇଟିସ (ବ୍ରେନ ବୁଖାର) ବା ମେନିନଜାଇଟିସ (ବ୍ରେନ ଓ ମେରୁଦଣ୍ଡର ହାଡ଼ର ଝିଲିରେ ପ୍ରଦାହ) ଆଦି ଗମ୍ଭୀର ବୀମାରୀ ହେବାର ସମ୍ଭାବନା ରହିଥାଏ । ଏପରିକି ଘାତକ ନ୍ୟୁରୋଲଜିକାଲ ରୋଗ ହେବା ସହ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ୱେଷ୍ଟ ନାଇଲ ଜ୍ୱର କ୍ୟୁଲେକ୍ସ ପ୍ରଜାତିର ମଶା ଦ୍ୱାରା ବ୍ୟାପିଥାଏ । ୧୯୩୭ରେ ୟୁଗାଣ୍ଡାରେ ପ୍ରଥମ ଥର ଏହାର ସନ୍ଧାନ ମିଳିଥିଲା । ୟୁଗାଣ୍ଡାର ୱେଷ୍ଟ ନାଇଲ ଜିଲ୍ଲାର ନାମ ଅନୁସାରେ ଏହି ଭାଇରସର ନାମ ‘ୱେଷ୍ଟ ନାଇଲ’ ରଖାଯାଇଥିଲା । ସେଠାରେ ପ୍ରଥମ ଥର ଏହି ଜ୍ୱରକୁ ଚିହ୍ନଟ କରାଯାଇଥିଲା । ୨୦୧୧ରେ ପ୍ରଥମ ଥର କେରଳରେ ଏହି ଜ୍ୱର ବିଷୟରେ ଜଣାପଡ଼ିଥିଲା । ୨୦୧୯ରେ ଜ୍ୱର କାରଣରୁ ମଲପ୍ପୁରମରେ ଏକ ୬ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଥିଲା । ତା’ପରେ ୨୦୨୨ରେ ତ୍ରିଶୂର ଜିଲ୍ଲାରେ ଜ୍ୱରରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ମାଂସପେଶୀରେ ଯନ୍ତ୍ରଣା, ଗଳା ଖରାପ ହେବା, ଆଖି ପଛପଟେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ସେହିପରି ଏହି ମାମଲା ଅଧିକ ଗମ୍ଭୀର ହେଲେ ଭ୍ରମ, ମାଂସପେଶୀ ଦୁର୍ବଳ, ପାରାଲିସିସ, କୋମା, ଅଧିକ ବୁଖାର (୧୦୩ ଡିଗ୍ରୀ ଫାରେନହାଇଟ ବା ୩୯.୫ ଡିଗ୍ରୀ ସେଲସିୟରୁ ଅଧିକ) ଆଦି ଲକ୍ଷଣ ଦେଖାଦେଇଥାଏ ।