fbpx

ରାଜ୍ୟ ପରେ ରାଜ୍ୟ ଦଖଲ କରି BJP ଆଗକୁ ବଢ଼ୁଛି: କଂଗ୍ରେସର ଦିନକୁ ଦିନ ତଳକୁ ଖସୁଛି, ବିଜୟ-ପରାଜୟ ପଛରେ ରହିଛି ୧୦ଟି ବଡ଼ କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ଏବେ ପ୍ରତ୍ୟେକ ରାଜନୈତିକ ଦଳର ମୁଖ୍ୟ ଲକ୍ଷ୍ୟ । ଏନେଇ କେନ୍ଦ୍ରରେ ଶାସନାଧୀନ ଥିବା ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ନିଜର ପ୍ରି-ପ୍ଲାନ୍ ପ୍ରସ୍ତୁତ ଆରମ୍ଭ କରିଦେଇଛି । ଏନଡିଏର ଟପ୍ ବ୍ୟାଟ୍ସମ୍ୟାନ୍ସ ନରେନ୍ଦ୍ର ମୋଦୀଙ୍କୁ ରୋକିବା ପାଇଁ ବିରୋଧୀମାନେ ଏକଜୁଟ୍ ହେବାକୁ ପ୍ରୟାସ କରୁଥିଲେ ହେଁ ସଫଳ ହୋଇପାରୁନାହାନ୍ତି । ଏହା ମଧ୍ୟରେ ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଓ ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଏକା ଲଢ଼ିବା ନେଇ ଘୋଷଣା କରିସାରିଛନ୍ତି ।

ଏପରି ସ୍ଥିତିରେ ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ କଥା ନ କହିବା ଭଲ । ଦିନକୁ ଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସିବାରେ ଲାଗିଛି । ଗତବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଥିମଧ୍ୟରୁ ବିଜେପି ୫ଟି ରାଜ୍ୟରେ ଜିତିଥିବା ବେଳେ କଂଗ୍ରେସ ହିମାଚଳ ପ୍ରଦେଶ ଓ ଆମ୍ ଆଦମୀ ପାର୍ଟି (ଆପ) ପଞ୍ଜାବରେ ସରକାର ଗଠନ କରିଥିଲେ ।

ଗତ ୨୦୧୪ରେ ବିଜେପି କେନ୍ଦ୍ରରେ ଶାସନକୁ ଆସିବା ପୂର୍ବରୁ ୯ଟି ରାଜ୍ୟରେ କଂଗ୍ରେସର ସରକାର ରହିଥିଲା । ମାତ୍ର ୨୦୨୩ରେ ମାତ୍ର ୩ଟି ରାଜ୍ୟରେ କଂଗ୍ରେସ ସରକାର ରହିଛି । ସେହି ରାଜ୍ୟଗୁଡ଼ିକ ହେଉଛି ଛତିଶଗଡ଼, ରାଜସ୍ଥାନ ଓ ହିମାଚଳ ପ୍ରଦେଶ । ୫ଟି ରାଜ୍ୟର ବିଧାନସଭାରେ କଂଗ୍ରେସର କୌଣସି ବିଧାୟକ ନାହାନ୍ତି । ସେହିପରି ୯ଟି ରାଜ୍ୟରେ ବିଧାୟକଙ୍କ ସଂଖ୍ୟା ୧୦ରୁ ବି କମ୍ ରହିଛି ।

ଦିଲ୍ଲୀ ମହାନଗର ନିଗମର (ଏମସିଡି) ନିର୍ବାଚନରେ ବିଜେପି-ଆପ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିବା ବେଳେ କଂଗ୍ରେସର ସ୍ଥିତି ତଳେ ରହିଥିଲା । ଏହା ମଧ୍ୟରେ କିଛି ରାଜ୍ୟରେ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଆପ୍ ଦ୍ୱିତୀୟ ଦଳର ମାନ୍ୟତା ହାସଲ କରିଛି । କିଛି ରାଜ୍ୟରେ କଂଗ୍ରେସର ତୃତୀୟ ସ୍ଥାନରେ ରହୁଛି । ନିକଟରେ ସମାପ୍ତ ହୋଇଥିବା ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନରେ ବିଜେପି ଦୁଇଟି ରାଜ୍ୟରେ ବହୁମତ ହାସଲ କରିବା ସହ ଗୋଟିଏ ରାଜ୍ୟରେ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି ।

ତେବେ ମୋଟାମୋଟି ଭାବେ କହିବାକୁ ଗଲେ କଂଗ୍ରେସର ଏହି ଅଧପତ୍ତନ ପାଇଁ ବିଭିନ୍ନ କାରଣ ଦାୟୀ । ବିଜେପିର ଲଗାତର ବିଜୟ ଓ କଂଗ୍ରେସର ଲଗାତର ପରାଜୟ ପଛରେ ୧୫ଟି ବଡ଼ କାରଣ ଦାୟୀ ବୋଲି କୁହାଯାଇପାରେ । ୧- ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ବିଜେପି ପୂରା ଦମରେ ଲାଗିଥାଏ, ଯାହାକି କଂଗ୍ରେସ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ୨- ନିର୍ବାଚନ ସମୟରେ ନରେନ୍ଦ୍ର ମୋଦୀଙ୍କ ସହିତ ଅନ୍ୟ କେନ୍ଦ୍ରୀୟ ନେତାମାନେ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାରରେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଗାନ୍ଧି କି ଅନ୍ୟ ନେତାଙ୍କୁ ରଣାଙ୍ଗନରେ ଦେଖିବାକୁ ମିଳିନଥାଏ । ୩- ୱାର୍ଡମେମ୍ବର ଭୋଟ ହେଲେ ବି ବିଜେପି ସାଂସଦ / ବିଧାୟକ ଭୋଟ ପରି ଗୁରୁତ୍ୱ ଦେଇଥାଏ, ମାତ୍ର କଂଗ୍ରେସ ଏହାର ବ୍ୟତିକ୍ରମ ।

୪- ଦଳର ପ୍ରତ୍ୟେକ ନିଷ୍ପତ୍ତି ଗାନ୍ଧି ପରିବାର ଉପରେ ନ୍ୟସ୍ତ ଥାଏ । ଅନେକ ସମୟରେ ଦଳର ପରିଚାଳନାରେ ଅସନ୍ତୁଷ୍ଟ ହୋଇ ଅନେକ ନେତା ଦଳ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥାନ୍ତି । ୫- ବିଜେପି ଡିଜିଟାଲ ମିଡ଼ିଆରେ ଦଳର ପ୍ରଚାରରେ ଆଗରେ ରହିଥିବା ବେଳେ କଂଗ୍ରେସ ପୁରୁଣା ଷ୍ଟାଇଲରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି । ୬- ପ୍ରତ୍ୟେକ ନିର୍ବାଚନର ବହୁପୂର୍ବରୁ ବିଜେପି ପ୍ଲାନ୍ କରିଥାଏ, ମାତ୍ର କଂଗ୍ରେସ ନୁହେଁ ।

୭- ପ୍ରତ୍ୟେକ ରାଜନୈତିକ ଦଳରେ ଗୋଷ୍ଠୀ କନ୍ଦଳ ରହିଥାଏ । ମାତ୍ର କଂଗ୍ରେସ ଦଳରେ ଏହା ହାଟରେ ପଡ଼ି ବାଟରେ ଗଡ଼ୁଥାଏ । ୮- କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଏପରି ସମାଲୋଚନା କରିଥାଏ, ଯାହାର ପ୍ରଭାବ ଓଲଟା ପଡ଼ିଥାଏ । ପ୍ରତ୍ୟେକ ପ୍ରସଙ୍ଗକୁ ଠିକ୍ ଭାବେ ଜନତାଙ୍କ ପାଖରେ ପହଞ୍ଚାଇବାରେ କଂଗ୍ରେସ ସମର୍ଥ ହୋଇପାରିନାହିଁ । ୯- ଶାସକ ଦଳ ଯେତେ ଖରାପ ହେଲେ ମଧ୍ୟ ଦେଶ ବିରୋଧୀ ମନ୍ତବ୍ୟ ଦେବା, ବିଦେଶରେ ଭାରତକୁ ନ୍ୟୁନ ଭାବେ ଦେଖିବା ଆଦି କଂଗ୍ରେସ ନେତାଙ୍କର ପିଲାଳିଆମିକୁ ସୂଚାଉଛି । ୧୦- ସମୟ ଥିଲା ଜନତା କଂଗ୍ରେସକୁ ଗ୍ରହଣ କରୁଥିଲେ, ମାତ୍ର ଆଜି କାହିଁକି ଗ୍ରହଣ କରୁନାହାନ୍ତି, ଦଳ ଉକ୍ତ ତ୍ରୁଟି ସବୁକୁ ସୁଧାରିବା ପରିବର୍ତ୍ତେ ଦୋହରାଇବାରେ ବ୍ୟସ୍ତ ରହିଛି ।

Get real time updates directly on you device, subscribe now.