fbpx

ପୁଣି ଦୌଡିବ ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡି, ବାସ୍ କରିବାକୁ ପଡିବ ଏହି କାମ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ୧୦ ବର୍ଷର ପୁରୁଣା ଡିଜେଲ୍ ଗାଡି ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହୋଇପାରେ । ଦିଲ୍ଲୀ ସରକାର ଏମିତି ଗାଡି ମାଲିକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ନେଇକି ଆସିଛନ୍ତି । ରାଜଧାନୀରେ ଇଭି(ଇଲେକ୍ଟ୍ରିକ ଭେଇକିଲ୍) ନୀତି ଜରିଆରେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେଉଛନ୍ତି କେଜ୍ରିଓ୍ଵାଲ ସରକାର । ଏବେ ଆପ୍ ସରକାର ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡିକୁ ଇଲେକ୍ଟ୍ରିକରେ ରୂପପାନ୍ତିତ କରିବାର ରାସ୍ତା ଖୋଲି ଦେଇଛନ୍ତି ।
ଦିଲ୍ଲୀ ସରକାର ପରିବହନ ବିଭାଗ ଏ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଗୁରୁବାର ଘୋଷଣା କରିଥିଲେ ଯେ, ପରିବହନ ବିଭାଗ ପାରମ୍ପରିକ ଇଞ୍ଜିନକୁ ଇଲେକ୍ଟ୍ରିକ ଇଞ୍ଜିନରେ ବଦଳାଇବା ପାଇଁ ଇଲେକ୍ଟ୍ରିକ କିଟ୍ ନିର୍ମାତାଙ୍କୁ ପ୍ୟାନେଲରେ ସାମିଲ୍ କରିବ । ଏପରିକି ଗତ ବର୍ଷଠୁ ଦିଲ୍ଲୀ ସରକାର ଇଲେକ୍ଟ୍ରିକ ଯାନ ନୀତିରେ ସବସିଡି ଦେବା ବ୍ୟତୀତ ଅନ୍ୟ ସବୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ମନ୍ତ୍ରୀ କହିଛନ୍ତି, ଡିଜେଲ୍ ଗାଡିର ରେଟ୍ରୋଫିଟିଂ ଜରିଆରେ ଏହି ସବୁ ଗାଡି ନିର୍ଦ୍ଧାରିତ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଯାନ ପରି ବ୍ୟବହାର କରି ପାରିବେ ।
ଗେହଲଟ କହିଛନ୍ତି, ଦିଲ୍ଲୀ ଏବେ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ(ଆଇସିଇ)କୁ ଇଲେକ୍ଟ୍ରିକ ଇଞ୍ଜିନ ଭାବେ ରେଟ୍ରୋଫିଟିଂ ପାଇଁ ପ୍ରସ୍ତୁତ। ଯଦି ଗାଡି ଫିଟ୍ ଥାଏ ତେବେ ମାଲିକ ନିଜର ଇଞ୍ଜିନକୁ ଇଲେକ୍ଟ୍ରିକ ଇଞ୍ଜିନରେ ବଦଳାଇ ପାରିବେ । ବିଭାଗ ଆବଶ୍ୟକ ପରୀକ୍ଷଣ ପରେ ଏଜେନ୍ସି ଦ୍ୱାରା ଇଲେକ୍ଟ୍ରିକ ସାମଗ୍ରୀ ନିର୍ମାତାଙ୍କୁ ଏହି କାମ ପାଇଁ ସୂଚୀବଦ୍ଧ କରିବ । ଥରେ ପ୍ୟାନେଲରେ ସାମିଲ୍ ହେବା ପରେ ଏହି ସବୁ ଗାଡିକୁ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଗାଡି ପରି ବ୍ୟବହାର କରାଯାଇ ପାରିବ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ବଡ ସଂଖ୍ୟାରେ ୧୦ ବର୍ଷର ପୁରୁଣା ଡିଜେଲ୍ ଗାଡି ରହିଛି ଏବଂ ଏସବୁ ଗାଡିର ଅବସ୍ଥା ଠିକ୍ ଅଛି । ମାତ୍ର ଏବେ ଦିଲ୍ଲୀରେ ଏସବୁ ଗାଡିର ଚଳାଚଳ ଉପରେ ରୋକ୍ ଲଗାଯାଇଛି । ନିୟମ ଅନୁଯାୟୀ, ଯଦି ଏହି ଗାଡି ରାସ୍ତାରେ ଯାତାୟତ କରେ ତେବେ ଜବତ କରି ନିଆଯିବ । ତେଣୁ ଏହି ସବୁ ଗାଡିକୁ ଚଳାଚଳ ଯୋଗ୍ୟ କରିବା ପାଇଁ ଦିଲ୍ଲୀ ସରକାର ନୂତନ ରାସ୍ତା ଆପଣେଇଛନ୍ତି । କେଜ୍ରିଫ୍ୱାଲ ସରକାରଙ୍କ ଏହି ପଦକ୍ଷେପରେ ଦିଲ୍ଲୀର ଲକ୍ଷାଧିକ ଲୋକଙ୍କୁ ଫାଇଦା ମିଳିବାର ଆଶା ରହିଛି।

Get real time updates directly on you device, subscribe now.