fbpx

କାର ବିସ୍ଫୋରଣରେ ୧୦୦ ଜଣଙ୍କ ଜୀବନ ଗଲା: ୩୦୦ରୁ ଅଧିକ ମରଣ ସହ ଲଢ଼େଇ କରୁଛନ୍ତି

ନୂଆଦିଲ୍ଲୀ: ଏକ କାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୧୦୦ ଜଣ ବ୍ୟକ୍ତି । ଏଥିସହିତ ୩୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ସୋମାଲିଆର ରାଜଧାନୀ ମୋଗାଦିଶୁରେ ଘଟିଛି ଏଭଳି ଏକ ଭୟଙ୍କର ଅଘଟଣ । ତେବେ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ କ୍ରୁରତାପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି ହସନ ଶେଖ । ଏହି ଆକ୍ରମଣ ପଛରେ ଇସଲାମିକ କଠୋରପନ୍ଥୀ ଗ୍ରୁପ ‘ଅଲ-ଶବାବ’ ଦାୟୀ ବୋଲି ଅଫିସିଆଲ ଭାବେ କୁହାଯାଇଛି ।

ତେବେ ଶିକ୍ଷା ମନ୍ତ୍ରଣାଳୟ ବାହାରେ ଏହି ବିସ୍ଫୋରଣ ଘଟିଥିବାରୁ ଆକ୍ରମଣକାରୀମାନେ ତାହାକୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି । ପୋଲିସ ଅନୁଯାୟୀ, ଅଲ-ଶବାବର ଆତଙ୍କବାଦୀମାନେ ଶନିବାର ଦ୍ୱିପ୍ରହରରେ ଶିଶୁ, ମହିଳା ଓ ବୟସ୍କଙ୍କ ସହିତ ନାଗରିକଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ । ଏହାଦ୍ୱାରା ଜଣେ ସାମ୍ବାଦିକଙ୍କ ସହିତ ଅନେକ ନାଗରିକ ମୃତ୍ୟୁବରଣ କରିଥିଲେ ।

କ୍ରମାଗତ ଭାବେ ବିସ୍ଫୋରଣ ପରେ କିଛି ସମୟ ମଧ୍ୟରେ ଧୂଆଁ ଛାଇ ଯାଇଥିଲା । ଏହି ଧମାକାରେ ବହୁସଂଖ୍ୟକ ଲୋକ ଆହତ ହୋଇଥିଲେ । ସହାୟତା କରିବାକୁ ଘଟଣାସ୍ଥଳକୁ କିଛି ଲୋକ ଯାଇଥିବା ବେଳେ ପୁଣି ଆଉ ଏକ ଧମାକା ହୋଇଥିଲା । ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଆମ୍ବୁଲାନ୍ସ ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲା । ଦ୍ୱିତୀୟ ଥର ବିସ୍ଫୋରଣରେ ଆମ୍ବୁଲାନ୍ସ ଡ୍ରାଇଭର ସହିତ ଜଣେ ସ୍ୱାସ୍ଥ୍ୟ କର୍ମୀ ଆହତ ହୋଇଥିଲେ । ଗତ ୨୦୧୭ ମସିହା ଅକ୍ଟୋବର ମାସରେ ମଧ୍ୟ ଏକ ବଡ଼ ଟ୍ରକ ବୋମା ବିସ୍ଫୋରଣ ଘଟି ୫୦୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.