fbpx

ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ରାଜ୍ୟରେ ୧୦୭୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ପରେ ଦୁଇଦିନ ହେଲା ପୁଣି ହଜାରେ ଟପିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୦୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୬ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୨ ହଜାର ୭୧୦ ରହିଥିବା ବେଳେ ୧୦ ହଜାର ୬୮୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.