ଚାଲିଥିଲା କୋଚିଂ କ୍ଲାସ୍, ଗ୍ୟାସ୍ ଲିକ୍ ଯୋଗୁଁ ୧୨ ଛାତ୍ରଛାତ୍ରୀ ଅଚେତ୍, ତଦନ୍ତ ଜାରି ରଖିଛି ପୋଲିସ

ଜୟପୁର: ରାଜସ୍ଥାନ ଜୟପୁର ଗୋପାଳପୁରା ଅଞ୍ଚଳ ସ୍ଥିତ ଏକ ଘରୋଇ କୋଚିଂ ଅନୁଷ୍ଠାନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ୟାସ୍ ଲିକ୍ ଯୋଗୁଁ ୧୨ ଜଣ ଛାତ୍ରଛାତ୍ରୀ ଅଚେତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସମସ୍ତ ଅଚେତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଥିମଧ୍ୟରୁ ୨ ଜଣ ଛାତ୍ର ଆଇସିୟୁରେ ଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ରବିବାର ସନ୍ଧ୍ୟା ୭ଟା ପାଖାପାଖି ଜୟପୁର ସ୍ଥିତ ଉତ୍କର୍ଷ କୋଚିଂ ସେଣ୍ଟରରେ ହଠାତ ଦୁର୍ଗନ୍ଧଯୁକ୍ତ ଗ୍ୟାସ ବ୍ୟାପିଥିଲା । କୋଚିଂ ସେଣ୍ଟରରେ କିଛି ଛାତ୍ରଛାତ୍ରୀଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ଏବଂ ମୁଣ୍ଡ ବିନ୍ଧାର ଅଭିଯୋଗ କରିବା ପରେ ସେମାନେ ଅଚେତ ହୋଇଯାଇଥିଲେ । ଏହା ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ୧୨ ଜଣଙ୍କୁ ନିକଟସ୍ଥ ସୋମାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିମଧ୍ୟରୁ ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର । ତେବେ ଏହି ଗ୍ୟାସ୍ ଲିକ୍ କିପରି ହେଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅପରପକ୍ଷରେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ନାଳର ଗ୍ୟାସ୍ କିମ୍ବା ଅନୁଷ୍ଠାନ ଛାତ ଉପରେ ଥିବା ରୋଷେଇ ଘର ଧୁଆଁ ଯୋଗୁଁ ଏପରି ହୋଇପାରେ ବୋଲି ଅନୁମାନ କରାଯାଉଛି ।