ଅପଗ୍ରେଡ୍ ହେବ ୧୪ ହଜାର ସ୍କୁଲ: ପିଏମ୍-ଶ୍ରୀସ୍କୁଲ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଅପଗ୍ରେଡ୍ ହେବ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ । ପିଏମ୍-ଶ୍ରୀସ୍କୁଲ୍ ଯୋଜନାରେ ଏହି ସବୁ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯିବ । ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଥିଲେ ଯେ, ଦେଶରେ ଥିବା ୧୪,୫୦୦ରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ କରାଯିବ । ଫଳରେ ୧୮ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ୨୭,୩୬୦ କୋଟି ଟଙ୍କା ବ୍ୟୟ କରାଯିବ ।

ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟକୁ ବାଦ୍ ଦେଇ ଅନ୍ୟ ବିଦ୍ୟାଳୟଗୁଡ଼ିକର ମଧ୍ୟ ବିକାଶ କରାଯିବ ବୋଲି ସେ କହିଥିଲେ । ଏହି ସ୍କୁଲ୍ଗୁଡ଼ିକୁ ମଡେଲ ସ୍କୁଲରେ ପରିଣତ କରାଯିବ ଓ ଏହା ଜାତୀୟ ଶିକ୍ଷାନୀତି-୨୦୨୦କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ୨୦୨୧ ଫେବୃୟାରୀ ୧ରେ ବଜେଟ୍ ଉପସ୍ଥାପନବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଦେଶର ୧୫ ହଜାର ସ୍କୁଲକୁ ଅପଗ୍ରେଡ୍ କରାଯିବ ।

ନୂଆ ଶିକ୍ଷାନୀତିର ଯେଉଁ ସବୁ ସର୍ତ୍ତ ରହିଛି ସେସବୁକୁ ଏହିସବୁ ସ୍କୁଲଗୁଡ଼ିକରେ ପାଳନ କରାଯିବ । ସେହିପରି ଚଳିତ ବର୍ଷ ଜୁନ୍ ମାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୧୫ ହଜାର ପିଏମ୍-ଶ୍ରୀସ୍କୁଲ୍ ନିର୍ମାଣ କରାଯିବା ନେଇ ଘୋଷଣା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗତ ୫ ତାରିଖରେ ଟ୍ୱିଟ୍ କରି ପିଏମଶ୍ରୀ ଅଧିନରେ ଆସୁଥିବା ୧୪,୫୦୦ ସ୍କୁଲ୍ର ରୂପାନ୍ତର କରାଯିବ ବୋଲି ଘୋଷଣା କରିଥିଲେ ।

ତେବେ ଏଥିପୂର୍ବରୁ ଗତ ଜୁନ୍ ୨ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଦେଶରେ ଯେତେ ସ୍କୁଲ ରହିଛି ତା’ର ୧% ସ୍କୁଲକୁ ପିଏମ୍-ଶ୍ରୀସ୍କୁଲରେ ପରିଣତ କରାଯିବ । ତେବେ କ୍ୟାବିନେଟର ମଞ୍ଜୁରୀ ପରେ ଏହି ସ୍କୁଲ୍ଗୁଡ଼ିକର ବିକାଶ ହେବ ବୋଲି ଆଶା କରାଯାଉଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିବାରେ ଲାଗିଛି ।

ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀର ସ୍କୁଲ୍ ଓ ଶିକ୍ଷା ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିବାବେଳେ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମଧ୍ୟ ଦେଶରେ ଥିବା ସ୍କୁଲଗୁଡିକର ର ଉନ୍ନତିକରଣ ପାଇଁ ଯୋଜନା ଲାଗୁ କରିଛନ୍ତି । ତେବେ ବିରୋଧୀ କେନ୍ଦ୍ର ସରକାରଙ୍କ ଏହି ଯୋଜନାର କଟୂ ସମାଲୋଚନା କରିଛନ୍ତି ।

କେନ୍ଦ୍ର ସରକାର ବାସ୍ତବରେ ଏହା ପାଳନ କରିବେ ନା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏଭଳ ଘୋଷଣା କରୁଛନ୍ତି ତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଦେଶର ୮୦% ବା ୧୦ ଲକ୍ଷରୁ ଅଧିକ ସ୍କୁଲର ବିକାଶ ହେବା ଦରକାର । ମୋଦୀ ସରକାର କେବଳ ୧୪,୫୦୦ ସ୍କୁଲକୁ ଅପଗ୍ରେଡ୍ କରିବାକୁ ଯାଉଛନ୍ତି । ଏପରିସ୍ଥିତିରେ ୧୦ ଲକ୍ଷ ସ୍କୁଲର ଉନ୍ନତିକରଣ ପାଇଁ ୧୦୦ ବର୍ଷ ସମୟ ଲାଗିବ ବୋଲି ସେ ପରୋକ୍ଷରେ କଟାକ୍ଷ କରିଛନ୍ତି ।