fbpx
BSKY
BJD MC SKY
BJD MS SKY

ଆଜିଠୁ ୧୫ରୁ ୧୮ ବର୍ଷ କିଶୋରଙ୍କୁ ଦିଆଯିବ ପ୍ରଥମ ଡୋଜ୍ , ରାଜ୍ୟରେ ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ପ୍ରସ୍ତୁତ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଦିଆଯିବ କରୋନା ବିରୋଧୀ ଟିକା । ଏଥିପାଇଁ ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ ପିଲାଙ୍କ ଟିକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍‌ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣର ଭାକ୍ସିନ ସବୁ ଜିଲ୍ଲାରେ ପହଞ୍ଚିସାରିଛି । କେବଳ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହା ବାଦ୍‌ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ । ସ୍ୱତନ୍ତ୍ର ଭାବେ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ଚାଲିବ । ମାସେ ମଧ୍ୟରେ ପିଲାଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଜାନୁଆରୀ ୧ରୁ ଯେଉଁମାନେ ଅନ୍‌ଲାଇନ୍ ପଞ୍ଜିକରଣ କରିଥିବେ, ସେମାନେ ଟିକା ନେଇ ପାରିବେ । ଏହାଛଡ଼ା ଯେଉଁମାନେ ଅନଲାଇନ ପଞ୍ଜିକରଣ କରି ନାହାନ୍ତି ସେମାନେ ମଧ୍ୟ ଅନ୍‌ସ୍ପଟ୍‌ ପଞ୍ଜିକରଣ କରି ଟିକା ନେଇ ପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଟିକାକରଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସରଳ କରିବା ପାଇଁ ଶିକ୍ଷା ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗ ବୈଠକରେ ଜରିଆରେ ବିସ୍ତୁତ ଆଲୋଚନା କରାଯାଇଛି । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ ୨୦୦୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ । ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନତା ସୃଷ୍ଟି କରିବେ ।

ପ୍ରଥମ ଡୋଜ ଟିକା ନେବାର ୧୮ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେଇପାରିବେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ । ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦୈନିକ ଟିକାଦାନ ଅଗ୍ରଗତି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ଜଣାଇବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ କମିଶନର ସଂଜୟ କୁମାର ସିଂ କହିଛନ୍ତି ଯେ, ଭୁବନେଶ୍ୱରରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିକାଦାନ ବ୍ୟବସ୍ଥା କରାଯିବ । ଏଥିପାଇଁ ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଅଧ୍ୟକ୍ଷମାନେ ସିଡିଏମ୍‌ଓଙ୍କ ସହ ଯୋଗାଯୋଗ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସବୁ ଅଧ୍ୟକ୍ଷମାନେ ନିଜ ନିଜ ଜିଲ୍ଲାର ସିଡିଏମ୍‌ଓମାନଙ୍କ ସହ ଯୋଗାଯୋଗ କରି ଟିକାଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଓ ଉପନିର୍ଦ୍ଦେଶକ ଭାଗୀରଥୀ କାଣ୍ଡି ତଦାରଖ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷ ବୟସରୁ ଉଦ୍ଧ୍ୱର୍ଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ।

Get real time updates directly on you device, subscribe now.