ଆଜି ପୁରୀ ଆସିବେ ୧୫ ଲକ୍ଷ ଶ୍ରଦ୍ଧାଳୁ, ସୁନାବେଶକୁ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ

୧୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସିବେ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ। ନିଜର ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଏହି ସୁନାବେଶ ଦେଖିବା ଲାଗି ପୁରୀରେ ଆଜି ଜନସମୁଦ୍ର ଦେଖିବାକୁ ମିଳିବ। ସୁନାବେଶକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜାରି କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି।

ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ଶ୍ରଦ୍ଧାଳୁଙ୍କୁ ନେଇ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ସୁନାବେଶ ପାଇଁ ୧୫ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀରେ ସମାଗମ ହେବେ। ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଛି। ଟ୍ରଫିକ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସେ ଆହୁରି କହିଛନ୍ତି ଯେ, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ନଜର ରଖାଯାଇଛି। ବାହୁଡ଼ାରେ ସ୍ୱାଭାବିକଠୁ ଦୁଇଗୁଣା ଅଧିକ ଭକ୍ତ ଆସିଥିଲେ। ଆଜି ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାପ୍ରଭୁ । ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର । ଅପରାହ୍ନ 5ଟାରୁ ଦାରୁବ୍ରହ୍ମଙ୍କର ସୁନାବେଶ ନୀତି ଆରମ୍ଭ ହେବ । ରାତି 11 ଟା ଯାଏଁ ଚାଲିବ ଦର୍ଶନ ।

ତେବେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ। ଭାଇଭଉଣୀଙ୍କୁ ଧରି ରତ୍ନବେଦୀ ଅଭିମୁଖେ ଫେରି ଆସିଛନ୍ତି ଦାରୁଦିଅଁ । ସିଂହଦ୍ଵାରରେ ଲାଗିଲା ତିନିରଥ ।

ଜନ୍ମ ପୀଠକୁ ପଛ କରି ଘଣ୍ଟଘଣ୍ଟା ଖୋଳତାଳ, ହୁଳହୁଳି ଭିତରେ ବଡଦାଣ୍ଡ ଉଛୁଳେଇ କର୍ମପୀଠକୁ ଫେରି ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଫେରି ଆସିଛି ସିନା, କଥା ଦେଇ ଆସିଛି ଗୁଣ୍ଡିଚା ରାଣୀଙ୍କୁ । ଅପେକ୍ଷା କରିଥାଅ….ପୁଣି ଆସିବି, ଆର ବର୍ଷକୁ ।

ସନ୍ଧ୍ୟା ୬.୪୦ ରେ ସିଂହଦ୍ଵାରରେ ଲାଗିଥିଲା ବଡ ଭାଇ ବଳଭଦ୍ରଙ୍କ ତଳଧ୍ଵଜ । ଏହାର କିଛି ସମୟ ପରେ ଭକ୍ତଙ୍କ ଗହଣରେ ଦର୍ପଦଳନରେ ପହଞ୍ଚିଥିଲେ ଭଉଣୀ ସୁଭଦ୍ରା ।

ସମସ୍ତଙ୍କୁ ପଠାଇ ସାରିବା ପରେ ପଛରେ ଝୁଲି ଝୁଲି ଆସିଥିଲା ନନ୍ଦିଘୋଷ । କେତେବେଳେ ଅଟକି ଯାଉଥିଲା ତ କେତେବେଳେ ଗଡି ଗଡି ଧାଉଁଥିଲା । ଭାବରେ ବିହ୍ଵଳ ହୋଇ ଯାଉଥିଲେ ଭକ୍ତ କାଳିଆର ଅପୂର୍ବ ଭାବଭଙ୍ଗୀ ଦେଖି । ଶେଷରେ ରାତି 9ଟାରେ ସିଂହଦ୍ଵାରରେ ଲାଗିଥିଲା ନନ୍ଦିଘୋଷ ।