fbpx

ଅକ୍ଷୟ ତୃତୀୟାରେ ବେପାର ହେଲା ୧୫୦ କୋଟି ସୁନା, ଗତବର୍ଷ ତୁଳନାରେ ୧୫ ରୁ ୨୦ ପ୍ରତିଶତ ଅଧିକ ବିକ୍ରି

ଭୁବନେଶ୍ୱର: ଓଡ଼ିଆ ମାନଙ୍କ ଖାସ ପର୍ବ ହେଉଛି ଅକ୍ଷୟ ତୃତୀୟା ପର୍ବ । ଏହିଦିନ ଅନେକ ଶୁଭ କାର୍ଯ୍ୟ ସହ ସୁନା ଗହଣା କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ । ତେଣୁ ଗତକାଲି ରାଜ୍ୟରେ ୧୫୦ କୋଟି ସୁନା ବ୍ୟବସାୟ ହେବାର ଆକଳନ କରାଯାଇଛି । କିଛିଦିନ ଧରି ସୁନା ଦର ଉପରମୁହାଁ ହୋଇ ଚାଲିଥିବା ବେଳେ ଏହି ପର୍ବରେ ସୁନା ଦର ନିମ୍ନତର ହୋଇଛି । ସେଥିପାଇଁ ଅନେକ ଲୋକେ ଆଗକୁ ବିବାହ ଋତୁକୁ ଦେଖି ସୁନା କିଣିଛନ୍ତି ।

ଏହି ସମୟରେ ଅଳଙ୍କାର ଉପରେ ଲୋଭନୀୟ ଅଫର ଗ୍ରାହକମାନଙ୍କୁ ଟାଣି ନେଇଛି । ଏଥିପାଇଁ ସୋ ରୁମ ମାନଙ୍କରେ ରଥଯାତ୍ରା ଭଳି ଭିଡ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ବ୍ୟତୀତ ସାରା ରାଜ୍ୟରେ ମଧ୍ୟ ସୁନା ବିପୁଳ ପରିମାଣରେ ବିକ୍ରି ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଅଧିକ ଥିବା ସତ୍ତେ୍ୱ ଗ୍ରାହକମାନଙ୍କ ସୁନା ପ୍ରତି ଆଗ୍ରହ କମିନାହିଁ । ତେବେ ଏହି ଅକ୍ଷୟ ତୃତୀୟାରେ ଗ୍ରାହକମାନେ ଅଢେଇ କ୍ୱିଣ୍ଟାଲରୁ ଅଧିକ ସୁନା କିଣିଥିବା ଅନୁମାନ କରାଯାଉଛି ।

ଗତ ବର୍ଷ ସୁନା ୧୨୦ କୋଟି ଟଙ୍କାର ବିକ୍ରି ହୋଇଥିବା ବେଳେ, ଚଳିତ ବର୍ଷ ୧୫ ରୁ ୨୦ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଥିବା କଥା ଆକଳନ କରାଯାଇଛି । ସେହିପରି ଗତବର୍ଷ ୧୦ ଗ୍ରାମ ସୁନା ପିଛା ୪୭,୧୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୫୫ ହଜାର ୭୦୦ ଟଙ୍କାରେ ବିକ୍ରି ହୋଇଛି । ବର୍ଷକ ଭିତରେ ୮ ହଜାର ଟଙ୍କା ବୃଦ୍ଧି ପାଇବା ସତ୍ତେ୍ୱ ଏଥର ସୁନା ବେପାର ଅଧିକ ରହିଛି । ଆଗକୁ ବିବାହ ସିଜନ ଆସୁଥିବାରୁ ବିଶେଷ କରି ସୁନା ମୁଦି, ଚେନ୍, କାନଫୁଲ, ଚୂଡି, ମଙ୍ଗଳସୂତ୍ର ଇତ୍ୟାଦି ଅଧିକ ବିକ୍ରି ହୋଇଛି ।

Get real time updates directly on you device, subscribe now.