fbpx

ଘରୋଇ ମାଟିରେ ଲଗାତାର ୧୭ ଟେଷ୍ଟ ସିରିଜ ବିଜୟ: ଭାରତ ଆଗରେ କାମ ଦେଲାନି ‘BazzBall’ ଫର୍ମୁଲା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ରାଞ୍ଚି ଟେଷ୍ଟରେ ରୋହିତ ସେନା ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ସହ ୩-୧ରେ ସିରିଜ ଉପରେ ମଧ୍ୟ କବଜା କରିଛି ଭାରତୀୟ ଦଳ । ତେବେ ଇଂଲଣ୍ଡ ବିପକ୍ଷ ସିରିଜ ଜିତିବା ପରେ ରୋହିତ ସେନା ଏକ ବଡ଼ ରେକର୍ଡ ନିଜ ନାମରେ କରିଛି । ଘରୋଇ ମାଟିରେ ଲଗାତାର ୧୭ଟି ଟେଷ୍ଟ ସିରିଜ ଉପରେ ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି ଅଧିନାୟକ ରୋହିତ ।

୧୨ ବର୍ଷ ପୂର୍ବରୁ ଇଂଲଣ୍ଡ ଦେଇଥିବା ଆଗାତକୁ ସୁଧ ମୂଳ ସହ ଫେରସ୍ତ କରିଛି ଟିମ ଇଣ୍ଡିଆ । ଶେଷ ଥର ପାଇଁ ଘରୋଇ ମାଟିରେ ଇଂଲଣ୍ଡ ହିଁ ଭାରତକୁ ପରାସ୍ତ କରିଥିଲା । ଏହାପରେ ଭାରତ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ପରାସ୍ତ ହୋଇନାହିଁ । ପ୍ରତ୍ୟେକ ଟେଷ୍ଟ ସିରିଜ ଉପରେ କବଜା କରି ୨୦୧୨ ମସିହା ଆଘାତର ପ୍ରତିଶୋଧ ନେଇଛି ରୋହିତ ସେନା । ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ହାଟ୍ରିକ ସିରିଜ ବିଜୟ କରିଛି ଟିମ ଇଣ୍ଡିଆ । ପୂର୍ବରୁ ୨ଟି ଟେଷ୍ଟ ସିରିଜରେ ଭାରତ ଇଂଲଣ୍ଡକୁ ମାତ୍ ଦେଇଥିବା ବେଳେ ଲଗାତାର ତୃତୀୟ ଥର ପାଇଁ ଇଂରେଜ ସେନା ଉପରେ ଆଧିପତ୍ୟ ବିସ୍ତାର କରିଛି ଭାରତୀୟ ଦଳ ।

ତେବେ ଘରୋଇ ମାଟିରେ ଭାରତୀୟ ଖେଳାଳିଙ୍କ ଆଗରେ ଇଂଲଣ୍ଡର ବାଜ ବଲ୍ କ୍ରିକେଟ ମଧ୍ୟ ଫେଲ୍ ମାରିଛି । ନ୍ୟୁଜିଲାଣ୍ଡ, ଆୟରଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବାଜବଲ୍ କ୍ରିକେଟ ଖେଳି ନିଜର ଦମ୍ ଦେଖାଇଥିବା ଇଂଲଣ୍ଡ ଭାରତ ଆଗରେ ବିଫଳ ହୋଇଛି । ଭାରତୀୟ ବୋଲର ଇଂଲଣ୍ଡ ଖେଳାଳିଙ୍କୁ ଚକମା ଦେଇ ମ୍ୟାଚ ସହ ସିରିଜ ଉପରେ କବଜା କରିଛନ୍ତି ।

ଏହି ସିରିଜ ସହ ଭାରତ ଘରୋଇ ମାଟିରେ ୧୭ତମ ସିରିଜ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ଘରୋଇ ମାଟିରେ କେବଳ ୧୦ଟି ଟେଷ୍ଟ ସିରିଜ ଜିତିଥିବା ବେଳେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଲଗାତାର ଦୁଇଥର ଘରୋଇ ମାଟିରେ ୧୦ଟି ଟେଷ୍ଟ ସିରିଜ ଜିତିବାରେ ପ୍ରଥମ ଦଳ ପାଲଟିଛି ଅଷ୍ଟ୍ରେଲିଆ । ୧୯୯୪ ମସିହାରୁ ୨୦୦୪ ମଧ୍ୟରେ ୧୦ଟି ଘରୋଇ ଟେଷ୍ଟ ସିରିଜରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ଥର ପାଇଁ ୨୦୦୪ରୁ ୨୦୦୮ ମଧ୍ୟରେ ୧୦ଟି ଟେଷ୍ଟ ସିରିଜ ଉପରେ କବଜା କରିଥିଲା ଅଷ୍ଟ୍ରେଲିଆ ଦଳ ।

Get real time updates directly on you device, subscribe now.