ହିଂସାରେ ଜଳୁଛି ମଣିପୁର! ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ବର୍ବରକାଣ୍ଡ ପରେ ଖେଳିଯାଇଛି ଆତଙ୍କ । ମଣିପୁର କାକଚିଙ୍ଗ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଘରକୁ କାମ ସାରି ଫେରୁଥିବା ବେଳେ 2 ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । କିନ୍ତୁ କେଉଁ କାରଣ ପାଇଁ ପ୍ରକୃତରେ ହତ୍ୟା କରାଯାଇଛି ତାହା ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ଅନୁସାରେ, ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । କେଇରାକରେ କାମ କରିବା ପରେ ଶ୍ରମିକ ଦୁହେଁ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳିମାଡ ସହେବା ପରେ ସେମାନେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ।  ମୃତ ଶ୍ରମିକ ବିହାରର ଯାଦବପୁର ଥାନା ଅନ୍ତର୍ଗତ ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା ବୋଲି ଜଣାପଡିଥିବା ବେଳେ ମୃତକଙ୍କ ନାମ ସୁନାଲଲା କୁମାର ଏବଂ ଦାଶରଥ କୁମାର । ଏହାପରେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣ ପାଇଁ ଉଗ୍ରବାଦୀମାନେ ଏହି ଶ୍ରମିକମାନଙ୍କୁ ହତ୍ୟା କରିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।