ବାପା ମୁଁ ଆଉ ସହି ପାରୁନି; ମୋ ଉପରେ ସନ୍ଦେହ କରିବନି… ଆତ୍ମହତ୍ୟା ପୂର୍ବରୁ ଅଡିଓ ମେସେଜରେ ଏମିତି କହିଲା ଝିଅ
ବିଷ ପିଇ ଆତ୍ମହତ୍ୟା କଲା ନବବିବାହିତା । ଯୌତୁକ ପାଇଁ ଶାଶୁଘର ଲୋକେ ଦେଉଥିଲେ ନିର୍ଯାତନା ।
ଚେନ୍ନାଇ: ତାମିଲନାଡୁର ତିରୁପୁର ଜିଲ୍ଲାର ୨୭ ବର୍ଷୀୟ ରିଧାନ୍ୟାଙ୍କ ଆତ୍ମହତ୍ୟା ଖବର ସମଗ୍ର ରାଜ୍ୟକୁ ଥରାଇ ଦେଇଥିଲା। ମୃତ ମହିଳାଙ୍କ ବିବାହ ୨ ମାସ ପୂର୍ବେ ଏପ୍ରିଲରେ କଭିନକୁମାର ନାମକ ଜଣେ ଯୁବକଙ୍କ ସହ ହୋଇଥିଲା ।
ଯୌତୁକରେ ପ୍ରାୟ ୮୦୦ ଗ୍ରାମର ସୁନା ଏବଂ ୭୦ ଲକ୍ଷ ମୂଲ୍ୟର ଏକ ଭଲଭୋ କାର ଦିଆଯାଇଥିଲା, କିନ୍ତୁ ଏହି ବିବାହ ତାଙ୍କ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଥିଲା।
ରିଧାନ୍ୟାଙ୍କ ବାପା ଅନ୍ନଦୁରାଇ ଏକ ପୋଷାକ କମ୍ପାନୀ ଚଳାନ୍ତି। ସେ ତାଙ୍କ ଝିଅର ବିବାହରେ କୌଣସି କସରତ ଛାଡି ନଥିଲେ। ଏହା ସତ୍ତ୍ୱେ, ରିଧାନ୍ୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଭୋଗୁଥିଲେ, ଯାହା ଫଳରେ ସେ ରବିବାର ଆତ୍ମହତ୍ୟା କରିଛନ୍ତି ।
ମନ୍ଦିର ଯିବା ବାହାନାରେ ଆତ୍ମହତ୍ୟା
ରିଧାନ୍ୟା ଶାଶୂଘର ଲୋକଙ୍କୁ କହିଥିଲେ ଯେ ସେ ମୋଣ୍ଡିପାଲୟମ ମନ୍ଦିରକୁ ଯାଉଛନ୍ତି। ସେ ରାସ୍ତାରେ ତାଙ୍କ ଗାଡ଼ି ଅଟକାଇ କୀଟନାଶକ ବଟିକା ଖାଇ ଦେଇଥିଲେ। ଯେତେବେଳେ ସ୍ଥାନୀୟ ଲୋକମାନେ ଗାଡ଼ିଟି ଦୀର୍ଘ ସମୟ ଧରି ଠିଆ ହୋଇଥିବା ଦେଖିଥିଲେ ତା’ ପରେ ପୋଲିସକୁ ଖବର ଦେଇଥିଲେ।
ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ରିଧାନ୍ୟାଙ୍କ ମୁହଁରୁ ଫେଣ ବାହାରୁଥିବାବେଳେ ପୋଲିସ ତାଙ୍କୁ ମୃତ ଅବସ୍ଥାରେ ପାଇଲା, ଯାହା ନିଶ୍ଚିତ କଲା ଯେ ସେ ବିଷ ପିଇ ଦେଇଛନ୍ତି।
ହ୍ୱାଟ୍ସଆପ୍ ଅଡିଓ ମେସେଜ୍
ରିଧାନ୍ୟା ମୃତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କୁ ସାତଟି ହ୍ୱାଟ୍ସଆପ୍ ଅଡିଓ ମେସେଜ୍ ପଠାଇଥିଲେ, ଯାହା ଘଟଣାର ଗମ୍ଭୀରତାକୁ ସ୍ପଷ୍ଟ କରିଥାଏ। ସେ କହିଥିଲେ ଯେ ସେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ମାନସିକ ନିର୍ଯାତନା ଦେଖି ଆତ୍ମହରା ହୋଇପଡିଛନ୍ତି ।
ଗୋଟିଏ ମେସେଜରେ ସେ କହିଥିଲେ: “ମୁଁ ଆଉ ସେମାନଙ୍କର ସବୁଦିନିଆ ମାନସିକ ନିର୍ଯାତନା ସହି ପାରୁନାହିଁ। ସମସ୍ତେ ଚାହାଁନ୍ତି ଯେ ମୁଁ ଆପୋଷ ବୁଝାମଣା କରିବି, କିନ୍ତୁ ମୁଁ ଆଉ ସହ୍ୟ କରିପାରିବି ନାହିଁ।”
ତିନି ଜଣ ଗିରଫ
ରିଧାନ୍ୟାଙ୍କ ମୃତ୍ୟୁ ପରେ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସ୍ୱାମୀ କଭିନକୁମାର, ଶ୍ୱଶୁର ଈଶ୍ୱରମୂର୍ତ୍ତି ଏବଂ ଶାଶୁ ଚିତ୍ରାଦେବୀଙ୍କୁ ଗିରଫ କରିଛି। ମାମଲାରେ ଯୌତୁକ ନିର୍ଯାତନା ଏବଂ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗ ରୁଜୁ କରାଯାଇଛି।
ପୋଲିସ ସୂତ୍ର ଅନୁଯାୟୀ, ଏହି ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ଏବଂ ରିଧାନ୍ୟାଙ୍କ ଦ୍ୱାରା ପଠାଯାଇଥିବା ଅଡିଓ ବାର୍ତ୍ତାଗୁଡ଼ିକୁ ମଧ୍ୟ ପ୍ରମାଣ ଭାବରେ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି।