fbpx

(Video) ଅଲିମ୍ପିକ୍ସ ପଦକ ବିଜୟନୀଙ୍କୁ ଜୋରଦାର ସ୍ୱାଗତ: ସ୍ୱଦେଶ ଫେରିଲେ ମନୁ ଭାକର, ଗର୍ବରେ ଫାଟି ପଡ଼ୁଛି ଭାରତ ମାଟି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସେଥିମଧ୍ୟରୁ ୨ଟି ପଦକ ମନୁ ଭାକର ଜିତିଥିଲେ । ତେବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଭାରତକୁ ବିଶ୍ୱବକ୍ଷରେ ଗୌରବାନ୍ୱିତ କରିଥିବା ଏହି ପଦକ ବିଜୟନୀ ଆଜି ସ୍ୱଦେଶ ଫେରିଛନ୍ତି । ଏହି ଅବସରରେ ଦିଲ୍ଲୀ ବିମାନବନ୍ଦରରେ ମନୁଙ୍କୁ ଚାରିଆଡ଼ୁ ପୁଷ୍ପ ବୃଷ୍ଟି କରାଯାଇ ଜୋରଦାର ସ୍ୱାଗତ କରାଯାଇଛି । ଏଭଳି ପ୍ରତିଭାଧାରୀ କନ୍ୟାଙ୍କୁ ଜନ୍ମ ଦେଇ ଭାରତମାତା ଆଜି ଗର୍ବରେ ଫାଟୁ ପଡ଼ୁଛି ।

ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପରେ ଆଜି ପ୍ରଥମ ଥର ପାଇଁ ମନୁ ସ୍ୱଦେଶ ଫେରିଛନ୍ତି । ଏହି ଅବସରରେ ପଦକ ବିଜୟିନୀଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଜୋରଦାର ସ୍ୱାଗତ କରାଯାଇଛି । ଟର୍ମିନାଲ ୩ର ଭିଆଇପି ଗେଟର ବାହାରକୁ ଆସିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ କୋଚ ଜସପାଲ ରାଣା ମଧ୍ୟ ଦେଖାଦେଇଥିଲୋ । ଦୁହିଁଙ୍କୁ ଫୁଲମାଳାରେ ପ୍ରଶଂସକମାନେ ପୋତି ପକାଇଥିଲେ । ଲୋକଙ୍କ ମଧ୍ୟରେ ମନୁଙ୍କ ସ୍ୱାଗତ ପାଇଁ ନାରା ମଧ୍ୟ ଶୁଣିବାକୁ ମିଳିଥିଲା । ପୁଷ୍ପ ବୃଷ୍ଟି ସାଙ୍ଗକୁ ବାଜା ବାଣରେ ଚତୁର୍ଦ୍ଦିଗ ଫାଟି ପଡ଼ୁଥିଲା ।

୨୨ ବର୍ଷୀୟ ମନୁ ଏତେ କମ୍ ବୟସରେ ସଫଳତାର ଯେଉଁ ନଭଶ୍ଚୁମ୍ଭୀ ଆକାଶକୁ ସ୍ପର୍ଶ କରିଛନ୍ତି ତାହା ଯୁଗେ ଯୁଗେ ଭାରତୀୟ କ୍ରୀଡ଼ା ଇତିହାସରେ ଏପରି ଚମକୁଥିବ । ମନୁ ଆଜି ସାରା ଦେଶବାସୀଙ୍କୁ ଅଲିମ୍ପିକ୍ସରେ ଗୌରବାନ୍ୱିତ କରିଦେଇଛନ୍ତି । ଗୋଟିଏ ପଦକ ଜିତିବାରୁ ସେ ଅଳ୍ପକେ ବଞ୍ଚିତ ହୋଇଥିଲେ । ନଚେତ୍ ପ୍ରଥମ ଭାରତୀୟ ଭାବେ ମନୁ ଅଲିମ୍ପିକ୍ସରେ ହ୍ୟାଟ୍ରିକ ପଦକ ଜିତିବାର ନିଆରା ସୌଭାଗ୍ୟ ଅର୍ଜନ କରିଥାନ୍ତେ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଯାପନୀ ଦିବସରେ ମନୁ ଭାରତ ତରଫରୁ ଧ୍ୱଜାବାହକ ହେବେ । ତେଣୁ ଆସନ୍ତା ୧୧ ତାରିଖରେ ଉଦଯାପନୀ ଉତ୍ସବରେ ଯୋଗଦେବାକୁ ମନୁ ପୁଣି ପ୍ୟାରିସ ଯାତ୍ରା କରିବେ ।

Get real time updates directly on you device, subscribe now.