fbpx

ଏବେ ନୋ ଟେନସନ: ଆକାଶରେ ଉଡିବ ୨ ସିଟର ଇଲେକ୍ଟ୍ରିକ ଟାକ୍ସି, ଥରେ ରିଚାର୍ଜ କଲେ ଚାଲିବ ଦୁଇଶହ କିମି

ଚେନ୍ନାଇ: ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ଦେଶରେ ଇଲେକ୍ଟ୍ରିକ୍ ବିମାନ ଟାକ୍ସି। ଏହି ସ୍ୱତନ୍ତ୍ର ବିମାନକୁ ଇପ୍ଲେନ୍ ନାମକ ଏକ ସଂସ୍ଥା ତିଆରି କରିଛି, ଯାହାଦ୍ୱାରା ଯାତ୍ରୀ ଅଳ୍ପ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ସହରାଞ୍ଚଳରେ ଟ୍ରାଫିକ୍ ଭିଡ଼କୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଛୋଟ ବିମାନରେ କେବଳ ଦୁଇଟି ସିଟ୍ ରହିଛି। ସବୁଠାରୁ ବଡ଼ କଥା ହେଉଛି, ଏହା ଉଡ଼ିବା ପାଇଁ ଜୀବାଶ୍ମ ଇନ୍ଧନ ଦରକାର ନାହିଁ, ଇଲେକ୍ଟ୍ରିକ୍ ଶକ୍ତି ବଳରେ ଏହା ଆକାଶରେ ଉଡ଼ିବ। ଏହି ବିମାନକୁ ଥରେ ଫୁଲ୍‌ ଚାର୍ଜ କରିଲେ, ଏହା ୨୦୦ କିମି ଯାତ୍ରା କରିପାରିବ।

ଇପ୍ଲେନ୍‌ ହେଉଛି ଆଇଆଇଟି ମାଡ୍ରାସ୍‌ରେ ଇନ୍‌କୁବେଟ୍ ହୋଇଥିବା ଏକ ଷ୍ଟାର୍ଟଅପ୍ ସଂସ୍ଥା। ଏହାକୁ ପ୍ରଫେସର ସତ୍ୟ ଚକ୍ରବର୍ତ୍ତୀ ସ୍ଥାପନ କରିଛନ୍ତି। ସହରାଞ୍ଚଳର ଅସମ୍ଭାଳ ଭିଡ଼ର ମୁକାବିଲା କରିବା ଲାଗି ଇପ୍ଲେନ୍ ତିଆରି କରିଛି ‘ଇ୨୦୦ ଇଭିଟଲ୍‌’। ଏହି ବିମାନ ଘରର ଛାତ ଉପରେ ଅବତରଣ କରିପାରିବ। ଗୋଟିଏ ଘରୁ ଅନ୍ୟ ଘରକୁ ଆପଣ ଆକାଶ ମାର୍ଗରେ ଯାତ୍ରା କରିପାରିବେ। ନିକଟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ଏହି ବିମାନକୁ ‘ଡିଜାଇନ୍ ଅର୍ଗାନାଇଜେସନ ଆପ୍ରୁଭାଲ୍‌’ ପ୍ରଦାନ କରିଛନ୍ତି। ଏହା ଏକ ସାର୍ଟିଫିକେସନ ଯାହା ଫଳରେ ବିମାନର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରାଯାଇପାରିବ।

ଏହା ସାଧାରଣତଃ ସ୍ୱାମୀ-ସ୍ତ୍ରୀଙ୍କ ପାଇଁ ଭଲ । ଏହା ବ୍ୟତୀତ ଯେଉଁମାନେ ଚାକିରୀ କରୁଛନ୍ତି ସେମାନେ ଟ୍ରାଫିକ ଭିଡ଼ରୁ ନିଜକୁ ରକ୍ଷା କରି, ଇଲେକ୍ଟ୍ରିକ ବିମାନରେ ଯାଇପାରିବେ । ଏଥିରେ ସମୟ ବଂଚିବା ସହ ଜୀବାଶ୍ମ ଇନ୍ଧନ ଖର୍ଚ୍ଚରୁ ମଧ୍ୟ ବଂଚିପାରିବେ। ଏହା କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ମିଳିନାହିଁ ।

 

Get real time updates directly on you device, subscribe now.