fbpx

ଦୁଇ ବର୍ଷରେ ବିଜେପିର ୨ ସୁପର ଷ୍ଟ୍ରାଇକ୍‌: ମହାରାଷ୍ଟ୍ରରେ ଭାଙ୍ଗିଗଲା ବିରୋଧୀଙ୍କ ବିଶାଳ ମହାମେଣ୍ଟ

Advertisement

ନୂଆଦିଲ୍ଲୀ: ମହରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କୁ ଧୋକା ଦେଇ ବିଜେପି ସହିତ ମିଶି ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଡିଆଁ ମାରିଛନ୍ତି ଅଜିତ ପାୱାର। ଏହା ସହିତ ଦୁଇ ବର୍ଷରେ ଦୁଇଟି ଷ୍ଟ୍ରାଇକ୍ କରି ବିରୋଧିଙ୍କ ‘ମହା ବିକାଶ ଅଘାଡ଼ି’ ଶିବିରକୁ ଖାଲି କରି ଦେଇଛି ବିଜେପି। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ଶିବସେନା ବିଧାୟକଙ୍କୁ ନେଇ ବିଦ୍ରୋହ କରିବାର ଏକ ବର୍ଷ ପରେ ଅଜିତ ପାୱାର ଏବେ ଏନସିପିରେ ବିଦ୍ରୋହ କରି ବିଜେପି ସହିତ ସାମିଲ ହୋଇଛନ୍ତି ।

ଅଜିତ ପାୱାର ତାଙ୍କର ୧୭ ସମର୍ଥକ ବିଧାୟକଙ୍କୁ ନେଇ ରବିବାର ରାଜଭବନରେ ପହଞ୍ଚିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଆସି ସେଠାରେ ପହଞ୍ଚିଥିଲେ । ରାଜ୍ୟପାଳ ରମେଶ ବୈଶ ଅଜିତ ପାବାରଙ୍କ ସମେତ ଅନ୍ୟ ୮ ନେତାଙ୍କୁ ମନ୍ତ୍ରୀଭାବେ ଶପଥ ପାଠ କରାଇଥିଲେ । ଏଥିରେ ଛଗନ ଭୁଜବଲ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବାନସୋଡେ ଏବଂ ଅନିଲ ପାଟିଲ ସାମିଲ ଅଛନ୍ତି ।

ଦୁଇଦିନ ତଳେ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ, ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ହେବାକୁ ଯାଉଛି । ନିକଟରେ ଏକନାଥ ସିନ୍ଦେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ । ଶରଦ ପାୱାର ପ୍ରଫୁଲ୍ଲ ପଟେଲଙ୍କ ସହ ସୁପ୍ରିୟା ସୁଲେଙ୍କୁ ଏନସିପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବା ପରେ ଅଜିତ ଅସନ୍ତୁଷ୍ଟ ଥିଲେ। ଏହାପରେ ସେ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ପାଦ ଛାଡିବାକୁ ଆଗ୍ରହ ପ୍ରକାଶ କରିଥିଲେ।

Get real time updates directly on you device, subscribe now.