ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଦେଶରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଉ କିଏ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି କି ? ଏହି ପ୍ରଶ୍ନ ଜନମାନସରେ ସର୍ବଦା ଉଙ୍କି ମାରି ଆସିଛି। ଏମିତିରେ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଉ ଏବେଠୁ ବିରୋଧୀ ଦଳ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରକୁ ଗାଦିଚ୍ୟୁତ୍ କରିବା ପାଇଁ ଅଙ୍କକଷା ଆରମ୍ଭ କରି ଦେଲେଣି। କିଛି ନେତା ମଧ୍ୟ ନିଜକୁ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ଯୋଗ୍ୟ ମଣିଲେଣି। ଏହି କ୍ରମରେ ରହିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତିଶ କୁମାର ତ ଦୁଇ ପାଦ ଆଗକୁ ଯାଇ ୨୦୨୪ରେ ବିଜେପି ନିଶ୍ଚୟ ପରିଣାମ ଭୋଗିବ ବୋଲି କହି ସାରିଲେଣି। ଜେଡିୟୁ ପଦାଧିକାରୀ ଏବଂ କର୍ମୀ ମଧ୍ୟ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦ ଭାବେ ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି। ରାଜଧାନୀ ପାଟନାରେ ନୀତିଶଙ୍କ ବଡ ବଡ ହୋର୍ଡିଂ ମଧ୍ୟ ଲଗାଯାଇଛି। ନୀତିଶଙ୍କ ଜାତୀୟ ମହତ୍ଵାକାଂକ୍ଷାକୁ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି।
ଶନିବାର ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ନୀତିଶ କୁମାର କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଯଦି ସମସ୍ତ ବିରୋଧୀ ଦଳ ଏକାଠି ମିଶି ନିର୍ବାଚନ ଲଢନ୍ତି ତେବେ ବିଜେପିକୁ ପରାଜୟ କରାଯାଇ ପାରିବ। ବିଜେପିର ସିଟ୍ ସଂଖ୍ୟା ୫୦ ଭିତରେ ସୀମିତ ରହିବ। ଏଥିପାଇଁ ସେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିବେ ଏବଂ ଅପିଲ୍ କରିବେ ବୋଲି ନୀତିଶ କୁମାର କହିଛନ୍ତି। ନୀତିଶ କୁମାରଙ୍କ ଏହି ଅପିଲ୍ ବୋଧହୁଏ ତୃଣମୂଳ କଂଗ୍ରେସକୁ ହଜମ ହୋଇ ପାରିନି। ଏକଦା ମୋଦୀଙ୍କ ବିପକ୍ଷରେ ନିଜକୁ ଦୃଢ ପ୍ରତିଦ୍ଵନ୍ଦ୍ଵୀ ମାନୁଥିବା ମମତା ବାନାର୍ଜୀ ନୀତିଶ କୁମାରଙ୍କ ଏହି ପଦକ୍ଷେପକୁ ଗ୍ରହଣ କଲା ପରି ଲାଗୁ ନାହିଁ। ସେଥିପାଇଁ ଟିଏମସି କହି ଦେଇଛି, ୨୦୨୪ର ନିର୍ବାଚନରେ ପାର୍ଟି ଏକାକୀ ନିର୍ବାଚନ ଲଢିବ ଏବଂ ବିଜେପିକୁ କ୍ଷମତାରୁ ବେଦଖଲ କରିବ।
ଟିଏମସି ସ୍ପଷ୍ଟ କରିଛି ଯେ, ୨୦୨୪ ଲୋକସଭା ନିର୍ବାଚନରେ ଦଳ ଏକାକୀ ନିର୍ବାଚନ ଲଢିବ। ଫଳାଫଳ ପରେ ଦଳଗୁଡିକ ଜିତିଥିବା ସିଟ୍ ଆଧାରରେ ମେଣ୍ଟ ଗଠନ ନେଇ ଆଲୋଚନା କରାଯିବ। ହେଲେ ନିକଟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିକଟରେ ବିଜେପି ମୁକ୍ତ ଭାରତ ପାଇଁ ସମସ୍ତ ଆଞ୍ଚଳିକ ଦଳ ମଧ୍ୟରେ ଏକତା ସ୍ଥାପନ ପାଇଁ ତରିକା ଉପରେ ଆଲୋଚନା କରିଛନ୍ତି। ତେବେ ଟିଏମସିର କହିବା କଥା ଆମକୁ ବିରୋଧୀ ଦଳ ପକ୍ଷରୁ ଏହିପରି କିଛି ପ୍ରସ୍ତାବ ମିଳିନାହିଁ।ଟିଏମସିର ରାଷ୍ଟ୍ରୀୟ ମୁଖପାତ୍ର ସୁଖେନ୍ଦୁ ଚନ୍ଦ୍ରଶେଖର କହିଛନ୍ତି, ମମତା ବାନାର୍ଜୀ ୨୦୧୯ରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବିରୋଧରେ ସମସ୍ତ ବିରୋଧୀ ଏକଜୁଟ୍ ହୁଅନ୍ତୁ ବୋଲି ଅପିଲ୍ କରି ଆସିଥିଲେ। ହେଲେ କିଛି ଆଶାନୁରୂପ ଫଳାଫଳ ମିଳିଲା ନାହିଁ। ଏହି କାରଣରୁ ଟିଏମସି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ନିଜ ଦମରେ ଏକାକୀ ଲଢିବ ବୋଲି ନିଷ୍ପତ୍ତି ନେଇଛି। ହଁ ଏହା ଅବଶ୍ୟ ଯେ, ନିର୍ବାଚନ ପରେ ମେଣ୍ଟ ଗଠନ ନେଇ ବିଚାର କରାଯାଇ ପାରିବ। ଏହା ବିରୋଧୀ ଦଳ ଜିତିଥିବା ସିଟ୍ ଆଧାରରେ ନିର୍ଭର କରେ ବୋଲି ଟିଏମସି କହିଛି।
ଗୋଟିଏ ପଟେ ନୀତିଶ କୁମାର ସମସ୍ତ ବିରୋଧୀ ଏକଜୁଟ୍ ହୋଇ ନିର୍ବାଚନ ଲଢିବା ଉଚିତ୍ ବୋଲି ଅପିଲ୍ କରୁଥିବା ବେଳେ ଅନ୍ୟପଟେ ଟିଏମସି ଏକାକୀ ନିର୍ବାଚନ ଲଢିବ ବୋଲି କହୁଛି। ଏମିତି ଲାଗୁଛି ନୀତିଶ କୁମାର ଯେଉଁଭଳି ଭାବେ ନିଜକୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି ମମତାଙ୍କୁ ଏହା ପସନ୍ଦ ଆସିନି। ତେଣୁ ସେ ନିର୍ବାଚନ ପରେ ଯାଇ ମେଣ୍ଟ କଥା ଚିନ୍ତା କରାଯିବ ବୋଲି କହୁଛନ୍ତି। ଯଦି ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ଦେଖୁଛନ୍ତି ତେବେ ତାଙ୍କୁ ପ୍ରଥମେ ନରେନ୍ଦ୍ର ମୋଦୀଙ୍କୁ ଅଟକାଇବା ନୁହଁ ବରଂ ପ୍ରଥମେ ମମତା ବାନାର୍ଜୀଙ୍କୁ ଏକାଠି ଆସିବାକୁ ମନାଇବାକୁ ପଡିବ। ଏମିତି ନହେଉ ମମତା ବାନାର୍ଜୀ ନୀତିଶ ପ୍ରଧାନମନ୍ତ୍ରୀ ହେବା ସ୍ଵପ୍ନକୁ ଧୂଳିସାତ କରି ଦେବେ।