fbpx

ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ଟି ପାଇପ୍‌

ରାଉରକେଲା: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୧୦ ଦିନ ହେଲାଣି ଫସି ରହିଛନ୍ତି ୪୧ ଜଣ ଶ୍ରମିକ । କାଳ କୋଠରୀରୁ ବଞ୍ଚିବାର ଆଶା ନେଇ ସମସ୍ତ ଶ୍ରମିକ ମାନେ ନିଜର ସଂଘର୍ଷ ଜାରି ରଖିଛନ୍ତି । ସେହିପରି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ କଳବଳ ଲଗାଇ ପ୍ରଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ। ଏଥିପାଇଁ ବିଭିନ୍ନ ପାଇପର ଆବଶ୍ୟକତା ରହିଛି । ଯାହା ଓଡିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ପଠାଯାଉଛି ।

ଗତକାଲି ପ୍ରଥମ ଦିନରେ ଦୁଇଟି ବିମାନରେ ୧୨ଟି ପାଇପ୍‌ ପଠାଯାଇଥିବାବେଳେ ଆଜି ମଧ୍ୟ ଦୁଇଟି ବିମାନରେ ଅବଶିଷ୍ଟ ୧୨ଟି ପାଇପ୍‌ ପଠାଯାଇଛି । ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ପ୍ରଥମ ବିମାନ ଓ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦ୍ୱିତୀୟ ବିମାନ ରାଉରକେଲାରୁ ପାଇପ୍‌ ନେଇ ଦେହରାଡୁନ ଅଭିମୁଖେ ବାହାରିଥିଲା। ତେବେ ରାଉରକେଲାରୁ ଯାଇଥିବା ଏହି ସମସ୍ତ ପାଇପ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିସାରିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବାୟୁସେନାର ସି-୧୩୦ ଜେ ସୁପର ହର୍କ୍ୟୁଲସ୍‌ ବିମାନରେ ସ୍ପାଇରାଲ୍‌ ୱେଲ୍‌ଡ ପାଇପ୍‌ ଉତ୍ତରକାଶୀକୁ ପଠାଯାଇଛି । ତେବେ ଗତ ଦୁଇ ଦିନରେ ୪ଟି ବାୟୁସେନା ବିମାନରେ ପାଖାପାଖି ୪୦ ଟନ୍‌ ବିଶିଷ୍ଟ ୨୪ଟି ପାଇପ୍‌ ପଠାଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବିମାନରେ ୬ଟି ଲେଖାଏ ପାଇପ୍‌ ପରିବହନ କରାଯାଇଥିଲା। ଏହାର ମୋଟେଇ ୨୮/୩୨ ଇଞ୍ଚ ଲେଖାଏ ଥିବାବେଳେ ଲମ୍ବ ୨୦ ବିଶିଷ୍ଟ ଥିଲା। ତେବେ ନିର୍ଦ୍ଦିଷ୍ଟ ଗୋଟିଏ ଓଜନ ବିଶିଷ୍ଟ ପାଇପ୍‌ ପଠାଯାଇନି; ବରଂ ଦୁଇ ପ୍ରକାର, ଯଥା ୧.୮ ଟନ୍‌ ଓ ୧.୪ ଟନ୍‌ ବିଶିଷ୍ଟ ପାଇପ୍‌ ହିଁ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଛି।

Get real time updates directly on you device, subscribe now.