fbpx

୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୮୫ କୋଟି କୋଭିଡ ସହାୟତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ । ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ । ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି । ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି । ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି । ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି । ରାସ୍ତା, ସେତୁ ଆଦି କରନ୍ତି । ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ । ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା – ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବର ରାହା ଦେଇଛି । ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ । କାର୍ୟ୍ୟକ୍ରମରେ ଯୋଗ ଦେଇ ଶ୍ରମ ଓ ଇ.ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ୟ୍ୟକାରୀତା ଓ ନାଗରିକ କେନ୍ଦ୍ରୀକ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ୟ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି । ଏହି କାର୍ୟ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ସଚିବ ଚିତ୍ରା ଅର୍‌ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ୩୧୪ବ୍ଲକ ର ନିର୍ମାଣ ଶ୍ରମିକ ମାନେ ଭିଡ଼ିଓ କନ୍ ଫରେନସ ଜରିଆରେ ଏହି କାର୍ୟ୍ୟକ୍ରମ ରେ ଭାଗ ନେଇଥିଲେ ।

Get real time updates directly on you device, subscribe now.