fbpx

ଆସନ୍ତା ମାସରେ ବିଶ୍ୱ ରେସଲିଂ ଚାମ୍ପିଅନଶି୍ପ, ଭାରତୀୟ ରେସଲରଙ୍କ ଅସଲ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ଚଳିତ ବର୍ଷ ଅନୁଷ୍ଠିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୨୨ ସ୍ୱର୍ଣ୍ଣ ପଦକ ପାଇ ଥିବାବେଳେ ଏଥିରୁ ଅଧିକ ସ୍ୱର୍ଣ୍ଣ ହାସଲ କରିଛନ୍ତି ଭାରତୀୟ ରେସଲର । ପୁରୁଷ ବର୍ଗରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ, ଦୀପକ ପୁନିଆ,ରବି ଦାହିୟା ଓ ନବୀନ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହିଳା ବର୍ଗରେ ଭିନେଶ ଫୋଗତ ଓ ସକ୍ଷୀ ମଲିକ ମଧ୍ୟ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିବାରେ ସଫଳ ହୋଇ ଥିଲେ । ସବୁଠାରୁ ଖୁସିର ବିଷୟ ହେଲା ଯେ ଏହି କ୍ରୀଡାରେ ଅଂଶ ଗ୍ରହଣ କରିଥିବା ଭାରତର ୧୨ ରେସଲର ପଦକ ହାସଲ କରି ଏକ ନିଆରା ରେକର୍ଡ ସୃଷ୍ଠି କରିଛନ୍ତି । ତେବେ ଚଳିତ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡାରେ ରେସଲିଂରେ ସବୁଠାରୁ ଅଧିକ ଶକ୍ତିଶାଳୀ ଦେଶ ଇରାନ, ଆଜରବୈଜାନ, ଦକ୍ଷିଣ ଓ ଉତ୍ତର କୋରିଆ,ଆମେରିକା, ରୁଷିଆ, ଜାପାନ,ଜର୍ଜିଆ, ତୁର୍କୀ, ବେଲାରୁଷ, କାଜାଖସ୍ତାନ, ମଙ୍ଗୋଲିଆ ଓ ଆର୍ମେନିଆ ପ୍ରମୁଖ ଅଂଶ ଗ୍ରହଣ କରି ନ ଥିବାରୁ ଭାରତୀୟ ରେସଲର ମାନେ ଅନ୍ୟ ଦେଶ ବିରୋଧରେ ଆଧିପତ୍ୟ ବିସ୍ତାର କରି ଅଧିକ ପଦକ ଅକ୍ତିଆର କରି ପାରିଲେ ।

ସେହିପରି ମହିଳା ବିଭାଗରେ ଜାପାନ, ଉଭୟ କୋରିଆ,ଚୀନ ପରି ଶକ୍ତିଶାଳୀ ଦେଶଙ୍କ ଅନୁ ସ୍ଥିତିରେ ଭାରତୀୟ ମହିଳା ରେସଲର ମାନେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଅକ୍ତିଆର ସୁଯୋଗ ପାଇଲେ । ତେବେ ଆସନ୍ତା ମାସରେ ସର୍ବିୟାର ରାଜଧାନୀ ବେଲଗ୍ରେଡରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ରେସଲିଂ ଚାମ୍ପିଅନଶି ରେ ଏହି ସବୁ ଦେଶର ରେସଲର ମାନେ ପ୍ରତିନିଧିତ୍ୱ କରିବେ । ତେଣୁ ଭାରତୀୟ ରେସଲରଙ୍କ ଅସଲ ଶକ୍ତି ଏଠାରେ ପରୀକ୍ଷା ହେବ ।

ସୂଚନା ଯୋଗ୍ୟ ଯେ ବିଶ୍ୱ ରେସଲିଂ ଚାମ୍ପିଅନଶିପରେ ଭାରତ ଆଜି ସୁଦ୍ଧା ମୋଟ ୨୦ ପଦକ ହାସଲ କରିଛି । ପୂର୍ବତନ ରେସଲର ତଥା ଅଲିମ୍ପିକ୍ସରେ ଦୁଇ ପଦକ ହାସଲ କରି ଥିବା ସୁଶିଲ କୁମାର ୨୦୧୦ ମସ୍କୋ ବିଶ୍ୱ ରେସଲିଂରେ ଭାରତର ପୁରୁଷ ଓ ମହିଳା ରେସଲରଙ୍କ ମଧ୍ୟରେ ଏକମାତ୍ର ସଫଳ ରେସଲର ଭାବେ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଥିଲେ । ସେହିରି ଗତ ବର୍ଷ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିବା ବଜରଙ୍ଗ ପୁନିଆ ଭାରତର ଏକମାତ୍ର ସଫଳ ରେସଲର ଭାବେ ବିଶ୍ୱ ଚାମ୍ପିଅନଶିରେ ଗୋଟିଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି । ସେହିପରି ୨୦୧୯ ବିଶ୍ୱ ଚାମ୍ପିଅନଶି ସଂସ୍କରଣରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ, ଦୀପକ ପୁନିଆ, ରବି ଦାହିୟା,ରାହୁଲ ଆୱାରେ ଓ ମହିଳା ରେସଲର ଭିନେଶ ଫୋଗତ ପଦକ ହାସଲ କରିବାରେ ସଫଳ ହୋଇ ଥିଲେ ।

ସେହିପରି ଏସିଆନ ଗେମ୍ସ ଇତିହାସରେ ଭାରତୀୟ ରେସଲର ମାନେ ଆଜି ପର୍ଯ୍ୟନ୍ତ ୧୧ ସ୍ୱର୍ଣ୍ଣ ସହିତ ମୋଟ ୫୯ ପଦକ ପାଇଛନ୍ତି । ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଗତ ଏସିଆନ ଗେମ୍ସରେ ଭାରତର ୧୮ ରେସଲର ଅଂଶ ଗ୍ରହଣ କରି ଥିବା ବେଳେ କେବଳ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ ସ୍ୱର୍ଣ୍ଣ ପଦକ ପାଇ ଥିବା ବେଳେ ଦିବ୍ୟା କକରନ ବ୍ରୋଞ୍ଜ ପଦକ ହାସଲ କରି ଥିଲେ । ଆସନ୍ତା ବର୍ଷ ଚୀନରେ ପରବର୍ତ୍ତୀ ଏସିଆନ ଗେମ୍ସ ଓ ୨୦୨୪ରେ ପ୍ୟାରିସ ଅଲିମ୍ପିକ କ୍ରୀଡା ଅନୁଷ୍ଠିତ ହେବ । ତେଣୁ ଆସନ୍ତା ସେପ୍ଟେମ୍ବର ମାସରେ ବେଲଗ୍ରେଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ରେସଲିଂ ଓ ୨୦୨୩ ଏସିଆନ ଗେମ୍ସରେ ଭାରତୀୟ ରେସଲର କିପରି ସଫଳ ହେବେ ଓ ଅନ୍ୟାନ୍ୟ ଶକ୍ତିଶାଳୀ ଦେଶ ବିପକ୍ଷରେ ଲଢ଼େଇ କରି ରେସଲିଂରେ କେତେ ପଦକ ପାଇବେ ତାହା ଅପେକ୍ଷାର ବିଷୟ । ତେବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ରେସଲରଙ୍କ ସଫଳତା ଆଗାମୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ସମସ୍ତ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ କି ରି ସହାୟକ ହେବ ତାହା ନିଶ୍ଚିତ ଚର୍ଚ୍ଚାର ବିଷୟ ।

Get real time updates directly on you device, subscribe now.