ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ

ରାଜ୍ୟରେ +୩ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି ।

କଟକ: ରାଜ୍ୟରେ +୩ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଜାଇଛି ସର୍ବାଧିକ କଟ୍ ଅଫ୍ । ରାଜ୍ୟର ଅନ୍ୟ କଲେଜ ଅପେକ୍ଷା ରେଭେନ୍ସା କଲେଜରେ କଟଅଫ୍‌ ମାର୍କ ସର୍ବାଧିକ ରହିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ମୋଟ 1 ଲକ୍ଷ 75 ହଜାର 722 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ସେପଟେ ରାଜନୀତି ବିଜ୍ଞାନରେ ସର୍ବାଧିକ 92.80% ଯାଇଥିବା ବେଳେ ଜୁଲୋଜିରେ 94%, ଫିଜିକ୍ସରେ 93.67% କଟ୍ ଅଫ୍ ଯାଇଛି । ବାଣିଜ୍ୟରେ 90.50% କଟ୍ ଅଫ୍ ଯାଇଥିବା ପ୍ରକାଶ ପାଇଛି ।

ରାଜଗାଙ୍ଗପୁରର ମା ସରସ୍ୱତୀ ସଂସ୍କୃତ କଲେଜର ସଂସ୍କୃତ ବିଷୟରେ ସର୍ବାଧିକ 68.67 ପ୍ରତିଶତ କଟ ଅଫ ଯାଇଛି । ବକ୍ସି ଜଗବନ୍ଧୁ କଲେଜ କମ୍ପ୍ୟୁଟର ସାଇନ୍ସରେ 88.83 ପ୍ରତିଶତ କଟ ଅଫ ମାର୍କ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭର୍ସିଟି ଅଫ ଲ କଲେଜ ଲ’ରେ 87.80 ପ୍ରତିଶତ କଟ ଅଫ ମାର୍କ ରହିଛି ।

ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ 2 ଲକ୍ଷ 74 ହଜାର 509 ସିଟ୍ ଥିବା ବେଳେ ମୋଟ 2 ଲକ୍ଷ 65 ହଜାର 590 ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ 75 ହଜାର 722 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଥମଧ୍ୟରୁ 70 ହଜାର 745 ଜଣ ପୁଅ ଓ 1 ଲକ୍ଷ 4 ହଜାର 967 ଝିଅ ମନୋନୀତ ହୋଇଛନ୍ତି । ସେହିଭଳି 10 ଜଣ ତୃତୀୟଲିଙ୍ଗୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବିଜ୍ଞାନରେ ମୋଟ 45 ହଜାର 855 ଜଣ, କଳାରେ 1 ଲକ୍ଷ 7 ହଜାର 69 ଜଣ ଓ ବାଣିଜ୍ୟରେ 16 ହଜାର 205 ଜଣ, ସଂସ୍କୃତରେ 3 ହଜାର 371 ଜଣ, ସେଲ୍ଫ ଫାଇନାନ୍ସିଂରେ 3 ହଜାର 51 ଜଣ ଏବଂ ଲ’ରେ 171 ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି । ମନୋନୀତ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ ।

ଏଥର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହୋଇଛି କଟକ ରେଭେନ୍ସା କଲେଜ । ଆଉ ପଛରେ ପଡ଼ିଯାଇଛନ୍ତି ବକ୍ସି ଜଗବନ୍ଧୁ ସ୍ବୟଂ ଶାସିତ ମହାବିବ୍ୟାଳୟ (BJB College) ଓ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ (SCS College) ।