ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ପରେ ରାଜଧାନୀ ଭୁବନେଶ୍ୱରରେ ମାଞ୍ଜା ସୂତା କାଳ ସାଜିଛି । ପୁଣିଥରେ ମାଞ୍ଜା ସୂତାରେ ବେକ କଟିଛି । ଡୁମୁଡୁମା ପାଲା ମଣ୍ଡପ ପାଖରେ ମାଞ୍ଜା ସୂତା ଲାଗି ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ ଜଣଙ୍କ ବେକରେ ଷ୍ଟିଚ୍ ପଡ଼ିଛି । ଅନ୍ୟପଟେ ମାଞ୍ଜା ସୂତା ଜବତ କରି ପୋଲିସ ତନାଘନା ଜାରି ରଖିଛି ।
ତେବେ ଡିସେମ୍ବର ୨୬ରେ କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ହେଲେ ଜୟନ୍ତ ସାମଲ । ତାଙ୍କ ଘର ସ୍ଥାନୀୟ ଭୟରପୁରଠାରେ । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ବଶୁର ଘରକୁ ଯାଉଥିଲେ । ପୀରବଜାରଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ପରେ ପୁରୀରୁ ବି ସମାନ ଘଟଣା ସାମ୍ନାକୁ ଆସିଥିଲା । ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଥିଲା । ଡ଼ାକ୍ତରଖାନା ଛକସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।